ଭୁବନେଶ୍ୱର କୋର୍ଟ ପରେ ସିଲ୍‌ ହେଲା ଝାରସୁଗୁଡ଼ା କୋର୍ଟ

ଝାରସୁଗୁଡ଼ା: ଭୁବନେଶ୍ୱର କୋର୍ଟ ପରେ ସିଲ୍‌ ହେଲା ଝାରସୁଗୁଡା କୋର୍ଟ। ଝାରସୁଗୁଡା କୋର୍ଟ ପରିସରରେ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋର୍ଟ କଂପ୍ଲେକ୍ସକୁ ସିଲ୍ କରି ଦିଆଯାଇଛି। କୋର୍ଟକୁ ୭ ଦିନ ପାଇଁ ସିଲ୍ କରାଯାଇଛି ବୋଲି ଝାରସୁଗୁଡା ଜିଲ୍ଲା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ ସୂଚନା ଦେଇଛନ୍ତି।

ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡା କୋର୍ଟର ବିଚାର ବିଭାଗୀୟ ପରିସର ବନ୍ଦ ରହିବ। ଏଥିସହ କୋର୍ଟ ପରିସରକୁ ସପ୍ତାହେ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ ବାହାରକୁ ଆସିବା ଅଥବା ବାହାରୁ କେହି ସେଠାକୁ ଯିବା ଉପରେ କଟକଣା ଜାରି କରାଯାଇଛି। ଅଦାଲତରେ ହେବାକୁ ଥିବା ଜରୁରୀ ଶୁଣାଣି ଗୁଡ଼ିକ virtual ତଥା ଅନଲାଇନ ମାଧ୍ୟମରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ଭୁବନେଶ୍ୱର କୋର୍ଟ ଜୁଡିସିଆଲ କଂପ୍ଲେକ୍ସକୁ  ୭ ଦିନ ପାଇଁ ସିଲ୍ କରାଯାଇଛି। ଆଜିଠାରୁ ମେ’ ୫ ତାରିଖ ପର୍ଯ୍ୟନ୍ତ କୋର୍ଟ ୭ ଦିନ ପାଇଁ ସିଲ୍ କରାଯାଇଛି। କୋଭିଡ୍ ପଜିଟିଭ ଚିହ୍ନଟ ପରେ BMC ପକ୍ଷରୁ ଜୁଡିସିଆଲ କଂପ୍ଲେକ୍ସକୁ ସିଲ୍‌ କରାଯାଇଥିବା କୁହାଯାଇଛି।

ଓଡ଼ିଶାରେ କରୋନା ସ୍ଥିତିକୁ ନେଇ ଡିଏମ୍ଇଟି ମୁଖ୍ୟ  ସିବିକେ ମହାନ୍ତି ଆଜି ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ଫ୍ଲାଟିନିଙ୍ଗ କର୍ଭ ବା ସମାନ୍ତରାଳ ଭାବେ ରହୁଛି କରୋନା ସଂକ୍ରମଣର ସ୍ଥିତି। ଏହା ହେଉଛି ଏକ ସମାନ୍ତରାଳ ସ୍ଥିତି, ଅର୍ଥାତ ଯାହାକି ଢେଉ ଭଳି ରହୁଛି। କେତେବେଳେ ଉପରେ ତ ଆଉ କେତେବେଳେ ଡାଉନ ସ୍ଥିତିରେ ରହୁଛି ସଂକ୍ରମଣ।’

ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୬୯୯୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୦୫୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୯୪୪ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଆଜି ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ଜଣ ପଜିଟିଭ୍  ଚିହ୍ନଟ ହୋଇଛନ୍ତି।

You might also like