ଘରେ ରହି ସୁସ୍ଥ ହେଲେ ୪୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଘରେ ରହି କରୋନା ରୋଗୀ ହେଲେ ସୁସ୍ଥ। ହୋମ୍‌ ଆଇସୋଲେସନରେ ଥିବା ୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି BMC କମିଶନର।

କୋଭିଡ୍‌ ସମୀକ୍ଷା ପରେ BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଦେଇଛନ୍ତି ଯେ ରାଜଧାନୀରେ କୋଭିଡ୍ ଟେଷ୍ଟ ସଂଖ୍ୟା ବଢୁଥିବାରୁ ଆକ୍ରାନ୍ତ ସଂଖ୍ୟା ବଢୁଛି। ରାଜଧାନୀରେ ଆଉ ୪ଟି ରାପିଡ୍ ରେସପନ୍ସ ଟିମ୍ ସୃଷ୍ଟି କରାଯାଇଛି। ପୂର୍ବର ୧୦କୁ ମିଶାଇ ଏବେ ୧୪ଟି RRT ରାଜଧାନୀରେ କାମ କରିବେ।

ରାପିଡ୍ ରେସପନ୍ସ ଟିମ୍‌ର ମୁଖ୍ୟ କାମ ହେବ କଣ୍ଟାକ୍ଟ ଟ୍ରେସିଂ। ୧୪ଟି ରାପିଡ୍ ରେସପନ୍ସ ଟିମ୍ ବ୍ୟତୀତ ଜୋନାଲ ସ୍ତରରେ ଆଉ ୬ ଟିମ୍ ଅଛି ବୋଲି ସେ କହିଛନ୍ତି।

ସେହିପରି ରାଜଧାନୀରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲେ ବି ଏହା ଆଉ ଏକ ଆଶ୍ୱସ୍ତି ଖବର ଆସିଛି। ହୋମ୍ ଆଇସୋଲେସନ୍‌ରେ ଥିବା ୪୬ ଜଣ ସୁସ୍ଥ ହୋଇଛନ୍ତି। ଅର୍ଥାତ୍‌ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ସୁସ୍ଥ ପରେ ମଧ୍ୟ ୪୬ ଜଣଙ୍କ ଉପରେ ନଜର ରଖାଯାଉଛି। ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର।

ଆଜି(ଶୁକ୍ରବାର) ରାଜଧାନୀରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ୱରରେ ଆଉ ୨୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟିନରୁ ୨୦୭ ଏବଂ ୪୧ ଲୋକାଲ କଣ୍ଟାକ୍ଟ କେସ୍ ରହିଛି।

ତେବେ ଭୁବନେଶ୍ୱରରେ ଏଯାବତ୍ ୧୭୧୭ ଜଣ ସଂକ୍ରମିତ ହୋଇଛନ୍ତି। ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୮୩୪ ଜଣ ସୁସ୍ଥ ହୋଇଥିବାବେଳେ ଆଉ ୮୭୦ ଆକ୍ଟିଭ କେଶ ରହିଛି।

You might also like