ଭାରତରେ କରୋନା ନୂଆ ଷ୍ଟ୍ରେନ; ସଂକ୍ରମିତଙ୍କ ସଂଖ୍ୟା ୨୦ ଛୁଇଁଲା

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତରେ କରୋନାର ପ୍ରଭାବ କମୁଥିବାବେଳେ ସେପଟେ  କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ ଧୀରେ ଧୀରେ ତାର ପାଦ ଭାରତରେ ରଖୁଛି। ବ୍ରିଟେନ୍‌ରୁ ଫେରିଥିବା ୨୦ ଯାତ୍ରୀଙ୍କ ପାଖରେ ବର୍ତ୍ତମାନ କରୋନା ନୂଆ ଷ୍ଟ୍ରେନ ମିଳିବା ପରେ ଚିନ୍ତା ବଢିଯାଇଛି। ପ୍ରଥମେ ଦେଶର ବିଭିନ୍ନ ସ୍ଥାନରୁ ୬ ଜଣ ବ୍ରିଟେନ ଫେରନ୍ତାଙ୍କୁ ଠାବ କରାଯାଇଥିଲା ଯେଉଁମାନଙ୍କ ପାଖରେ କରୋନାର ନୂଆ ଷ୍ଟ୍ରେନ ମିଳିଥିଲା । ଏବେ ଆଉ ୧୪ ଜଣଙ୍କୁ ଚିହ୍ନଟ କରାଯାଇଛି। ସୂଚନାଥାଉ କି, କରୋନାର ନୂଆ ଷ୍ଟ୍ରେନ୍‌ ବ୍ରିଟେନ୍‌ରେ ହାହାକାର ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନରୁ ଭାରତ  ଆସୁଥିବା ସମସ୍ତ ଫ୍ଲାଇଟ୍‌କୁ ବାତିଲ କରାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁସାରେ, ରାଜଧାନୀ ଦିଲ୍ଲୀରୁ ୮ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନଙ୍କଠାରେ ବ୍ରିଟେନ ନୂଆ ଷ୍ଟ୍ରେନ ଥିବା ଜଣାଯାଇଛି।

କୋଲକାତାରେ ବି ବ୍ରିଟେନ୍‌ର ନୂଆ ଷ୍ଟ୍ରେନକୁ ଚିହ୍ନଟ କରାଯାଇଛି। ୟୁକେରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ଏହି ନୂଆ ଷ୍ଟ୍ରେନ ମିଳିଛି। ସଂପୃକ୍ତ ରୋଗୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି। ସେ ଗତ ସପ୍ତାହରେ ବ୍ରିଟେନରୁ ଫେରିଥିଲେ। କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ୭ ଜଣ ଲୋକଙ୍କ ପାଖରେ କରୋନା ନୂଆ ଷ୍ଟ୍ରେନ ମିଳିଛି। ଏମାନଙ୍କ ମଧ୍ୟରୁ ୩ ଜଣ ବେଙ୍ଗାଲୁର ଏବଂ ୪ ଜଣ ଶିମୋଗାରୁ ଚିହ୍ନଟ କରାଯାଇଛି। ଏମାନଙ୍କ ସମ୍ପର୍କରେ ଆସିଥିବା କିଛି ବ୍ୟକ୍ତିଙ୍କ ପାଖରେ ମଧ୍ୟ କରୋନା ଭାଇରସ ଥିବା ଜଣାଯାଇଛି।

ଗତ କିଛି ସପ୍ତାହ ମଧ୍ୟରେ ବ୍ରିଟେନରୁ ଫେରିଥିବା ସମସ୍ତ ଲୋକଙ୍କର ଯାଞ୍ଚ କରାଯାଉଛି। ସେମାନଙ୍କ ପାଖରେ ପଜିଟିଭ ମିଳିଲେ ତାହା ନୂଆ ଷ୍ଟ୍ରେନ୍‌ କି ନୁହେଁ ତାହାର ଯାଞ୍ଚ କରାଯିବ।

ଅନ୍ୟପକ୍ଷେ ଉତ୍ତର ପ୍ରଦେଶର ମେରଠରେ ଏକ ୨ ବର୍ଷର ଶିଶୁ ଶରୀରରେ ନୂଆ ଷ୍ଟ୍ରେନ ମିଳିଥିବା ଜଣାଯାଇଛି। ଶିଶୁର ପରିବାର କିଛି ଦିନ ପୂର୍ବରୁ ବ୍ରିଟେନରୁ ଫେରିଥିଲେ। ଶିଶୁର ବାପା-ମା’ ମଧ୍ୟ କରୋନା ଆକ୍ରାନ୍ତ ଥିଲେ। ତେବେ ଶିଶୁ ପାଖରେ ହିଁ ନୂଆ ଷ୍ଟ୍ରେନ ମିଳିଛି

ବୁଧବାର ବେଙ୍ଗାଲୁର, ପୁଣେ, ହାଇଦ୍ରାବାଦର ଲାବରେ କରୋନାର ନୂଆ ଷ୍ଟ୍ରେନ୍‌ ସାମ୍ନାକୁ ଆସିଛି। ଏହି ଭାଇରସ ପୂର୍ବ ଭାଇରସଠାରୁ ୭୦ ପ୍ରତିଶତ ଅଧିକ ବିନାଶକାରୀ ବୋଲି କୁହାଯାଇଛି।

ସୂଚନାଥାଉ କି, ପାଖାପାଖି ୩୦ ହଜାର ଲୋକ ବ୍ରିଟେନରୁ ଭାରତ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ୧୦୦ରୁ ଅଧିକ ଲୋକ କରୋନା ପଜିଟିଭ ବାହାରିଛନ୍ତି।

You might also like