ସୁନା ଗହଣା କିଣିବାକୁ ଯାଉଛନ୍ତି କି ? ସାଙ୍ଗରେ ନେଇ ଯାଆନ୍ତୁ ପାନ୍ ଓ ଆଧାର କାର୍ଡ଼
ନୂଆଦିଲ୍ଲୀ : ଗହଣା କିଣିବାକୁ ଯାଉଛନ୍ତି କି ? ପାନ୍ କାର୍ଡ଼ ଓ ଆଧାର କାର୍ଡ଼ ପରି KYC କାଗଜପତ୍ର ସାଙ୍ଗରେ ନେଇ ଯାଆନ୍ତୁ। କାରଣ ଏବେ ଦୁଇ ଲକ୍ଷରୁ କମ୍ ମୂଲ୍ୟର ଗହଣା କିଣୁଥିଲେ ବି ଦୋକାନୀମାନେ କାଗଜପତ୍ର ମାଗୁଛନ୍ତି। ବର୍ତ୍ତମାନ ୨ ଲକ୍ଷ ଟଙ୍କା ନେଣଦେଣ ଉପରେ KYC କାଗଜପତ୍ର ବାଧ୍ୟତାମୂଳକ ଥିବାବେଳେ ଚଳିତ ବଜେଟରେ ସରକାର ସମସ୍ତ କ୍ୟାସ୍ ନେଣଦେଣ ଉପରେ KYC ବାଧ୍ୟତାମୂଳକ କରିପାରନ୍ତି ବୋଲି ଚିନ୍ତା କରୁଛନ୍ତି ଗହଣା ଦୋକାନୀ ।ଆଉ ସେଥିପାଇଁ ଗ୍ରାହକଙ୍କ ଠାରୁ ପାନ କାର୍ଡ଼ ଓ ଆଧାର କାର୍ଡ଼ ପରି କାଗଜପତ୍ର ମାଗୁଛନ୍ତି ।
The Economic Times ରେ ପ୍ରକାଶିତ ଏକ ଖବର ଅନୁଯାୟୀ, Prevention of Money Laundering Act (PMLA) ଲାଗୁ ହେବା ପରେ ସନ୍ଦିଗ୍ଧ ନେଣଦେଣ ଉପରେ ସରକାର କଡ଼ା ନଜର ରଖିପାରନ୍ତି । ବର୍ତ୍ତମାନ ସୁନା ବ୍ୟତୀତ ସମସ୍ତ ବିଳାସବ୍ୟସନ ସାମଗ୍ରୀ ନେଣଦେଣ ଉପରେ KYC କାଗଜପତ୍ର ବାଧ୍ୟତାମୂଳକ କରିଛନ୍ତି ସରକାର । ସେହିପରି ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନାଗହଣା କିଣିବା ବେଳେ KYC କାଗଜପତ୍ର ଜରୁରୀ ହୋଇଥାଏ । ଅନ୍ୟପଟେ ଗହଣାର ମୂଲ୍ୟ ୨ ଲକ୍ଷରୁ କମ୍ ହୋଇଥିଲେ ଆଧାର ଓ ପାନ କାର୍ଡ଼ ପରି କୌଣସି କାଗଜପତ୍ର ଆବଶ୍ୟକ ହୋଇନଥାଏ ।
ତେବେ ଆଗାମୀ ସମୟରେ ସରକାର ସୁନାକୁ ମଧ୍ୟ ସେୟାର, ମ୍ୟୁଚୁଆଲ ଫଣ୍ଡ୍ସ ଏବଂ ରିୟଲ ଇଷ୍ଟେଟ ଭଳି ଆସେଟ୍ କ୍ଲାସରେ ସାମିଲ କରିବାକୁ ଚାହୁଁଛନ୍ତି । ଆଉ ସେଥିପାଇଁ ଖୁବ୍ ଶୀଘ୍ର ଏକ ବିସ୍ତୃତ ଗୋଲ୍ଡ ପଲିସି ଆଣିବାକୁ ଯାଉଛନ୍ତି । ଅର୍ଥ ସୁନା ଏବେ ‘undisclosed treasure’ ଶ୍ରେଣୀରେ ଆସିବ ନାହିଁ । ସୁନାକୁ ଆଉ ଲୁଚାଇ ହେବ ନାହିଁ ବରଂ ଏକ ଲକଜୁରୀ ଏବଂ ନିବେଶ ଆଧାରରେ ଦେଖାଯିବ । ଭାରତରେ ବର୍ଷକୁ ପାଖାପାଖି ୮୦୦-୮୫୦ ଟନ୍ ସୁନା ଆବଶ୍ୟକ ଥାଏ ।
ଭାରତୀୟ ଜୁଏଲର୍ସ ଆସୋସିଏସନର ଜାତୀୟ ସଚିବ ସୁରେନ୍ଦ୍ର ମେହେଟ୍ଟା କହନ୍ତି, PMLA ଅନ୍ତର୍ଗତ ସୁନା, ରୂପା, ପ୍ଲାଟିନମ୍, ହୀରା ଭଳି ମୂଲ୍ୟବାନ ଧାତୁ ବ୍ୟବସାୟ କରୁଥିବା ଗହଣା ଦୋକାନୀ ସମସ୍ତ ନେଣଦେଣ ନେଇ Financial Intelligence Unitକୁ ରିପୋର୍ଟ କରିବେ । ଅର୍ଥାତ୍ ଗହଣା ଦୋକାନୀଙ୍କ ସମସ୍ତ ସନ୍ଦେହଜନକ କାରବାର, ନଗଦ କିଣାବିକା ଉପରେ ରିପୋର୍ଟ ଦେବାକୁ ପଡ଼ିବ ।
ଗତ ବର୍ଷ ୨୮ ଡିସେମ୍ବରରେ ଗୋଲ୍ଡ଼ ଟ୍ରେଡ଼କୁ PMLA ଅନ୍ତର୍ଗତ ସ୍ଥାନ ଦିଆଯାଇଛି । ଗହଣା କିଣାବିକା ସମ୍ପର୍କରେ କିଛି ଏପଟସେପଟ ହେଲେ ଦୋକାନୀ ଗିରଫ ହୋଇପାରନ୍ତି । ଏହି ଭୟରେ ଅନେକ ଗହଣା ଦୋକାନୀ ଆଗୁଆ KYC କାଗଜପତ୍ର ମାଗିବା ଆରମ୍ଭ କରିଦେଇଛନ୍ତି । ସୂଚନାଯୋଗ୍ୟ, ଲଗାତାର ଦୁଇ ଦିନ ଧରି ସୁନା, ରୂପା ଦରରେ ବୃଦ୍ଧି ପରେ ଗତକାଲି ଦରରେ ହ୍ରାସ ପାଇଥିଲା ।