ସ୍ପୁଟନିକ୍-ଭି’ ଟିକା ଉତ୍ପାଦନ ପାଇଁ ସେରମକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ତୃତୀୟ ଲହର ନେଇ ଆଶଙ୍କା ପ୍ରକାଶ ପାଇଛି । ଏନେ ନୀତି ଆୟୋଗ ସଦସ୍ୟ ମଧ୍ୟ ସୂଚନା ଦେଇଛନ୍ତି । ତେଣୁ ଏହାକୁ ରୋକିବାକୁ ହେଲେ କେବଳ ଟିକାକରଣ ହିଁ ଗୋଟିଏ ମାତ୍ର ରାସ୍ତା ବୋଲି କୁହାଯାଇଛି । ତେବେ ଏହାରି ଭିତରେ ଏବେ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ଏଣିକି ଭାରତରେ ସ୍ପୁଟନିକ୍-ଭି ଟିକା ଉତ୍ପାଦନ କରିବାକୁ ସେରମକୁ ଅନୁମତି ମିଳିସାରିଛି ।

ଭାରତୀୟ ଫାର୍ମା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟକୁ ସ୍ଫୁଟନିକ୍-ଭି ଟିକା ଉତ୍ପାଦନ ପାଇଁ ଅନୁମତି ମିଳିସାରିଛି । ରୁଷର କରୋନା ଟିକା ସ୍ଫୁଟନିକ୍-ଭି ଏଣିକି ସେରମ ଇନଷ୍ଟିଚ୍ୟୁଟ ମଧ୍ୟ ଉତ୍ପାଦନ କରିପାରିବ । ପୂର୍ବରୁ ଭାରତରେ କେବଳ ଡ. ରେଡ୍ଡୀ ଲ୍ୟାବ ସ୍ପୁଟନିକ-ଭି’ର ଉତ୍ପାଦନ ଏବଂ ବଣ୍ଟନ ଦାୟିତ୍ୱ ନେଇଥଲା । ଏହି ଟିକା ଉତ୍ପାଦନ ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ DCGIର ଅନୁମତି ମିଳି ସାରିଛି ।

ମସ୍କୋର ଗାମାଲିୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ୍ ଏପିଡେମିଓଲୋଜି ଓ ମାଇକ୍ରୋ ବାୟୋଲୋଜି ସହ ସହଭାଗିତାରେ ସ୍ପୁଟନିକ-ଭି ଟିକା ପ୍ରସ୍ତୁତ କରିବା ଲାଗି ସେରମ୍ DCGIର ଅନୁମତି ଲୋଡ଼ିଥିଲା । ପରେ ସେରମକୁ ଏହି ଟିକା ତିଆରି, ପରୀକ୍ଷଣ ଓ ବିଶ୍ଲେଷଣ ଲାଗି କେତେକ ସର୍ତ୍ତ ସହ ଅନୁମତି ଦେଇଛି DCGI । ହେଟେରୋ, ଗ୍ଲାଣ୍ଡ୍, ପାନାସିଆ ଭଳି ୫ଟି କମ୍ପାନୀ ପରେ ସେରମ୍ ଷଷ୍ଠ କମ୍ପାନୀ ଭାବେ ଭାରତରେ ସ୍ପୁଟନିକ୍-ଭି ଟିକା ଉତ୍ପାଦନ କରିବାକୁ ଯାଉଛି ।

ପୂର୍ବରୁ ସେରମ୍ ଭାରତରେ ଆଷ୍ଟ୍ରାଜେନେକାର ଟିକା କୋଭିସିଲ୍ଡ ଉତ୍ପାଦନ କରିଆସୁଛି । ଜୁନ୍ ସୁଦ୍ଧା ଦେଶକୁ ଆହୁରି ୧୦ କୋଟି କୋଭିସିଲ୍ଡ ଟିକା ପ୍ରଦାନ ପାଇଁ ସଂସ୍ଥା ଲକ୍ଷ୍ୟ ରଖିଛି । ଏହା ସହ ସେରମ୍ ଅନ୍ୟ ଏକ ଟିକା ନୋଭାଭାକ୍ସ ମଧ୍ୟ ପ୍ରସ୍ତୁତ କରୁଛି । ଯାହା ଏବେ ବ୍ୟବହାର ଅନୁମତି ଅପେକ୍ଷାରେ ରହିଛି । ଟିକା ଉତ୍ପାଦନ ଓ ଏହାର ବ୍ୟବହାର ଉପରେ ସୁରକ୍ଷା ପ୍ରଦାନ କରିବାକୁ ଦାବି କରିଛି ସେରମ୍ ଇନଷ୍ଟିଚ୍ୟୁଟ୍ । ଫାଇଜର୍ ଓ ମୋଡର୍ଣ୍ଣା ପରେ ସେରମ୍ ଏବାବଦରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ସେ ଦେଶୀ ହୁଅନ୍ତୁ କି ବିଦେଶୀ, ସବୁ ଟିକା ପ୍ରସ୍ତୁତକାରୀ କମ୍ପାନୀମାନଙ୍କୁ ଟିକା ଉତ୍ପାଦନ ଓ ବ୍ୟବହାର ଉପରେ ସୁରକ୍ଷା ପ୍ରଦାନ କରିବାକୁ ଅଦାର ପୁନାୱାଲାଙ୍କ କମ୍ପାନୀ ତରଫରୁ ସରକାରଙ୍କୁ କୁହାଯାଇଛି । ସମସ୍ତଙ୍କ ପାଇଁ ଏକକ ନିୟମ କରିବାକୁ ସରକାରଙ୍କ ଆଗରେ ଦାବି ରଖିଛି ସେରମ୍ । ଭାରତରେ ଏବେ ସେରମ୍, ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର କୋଭିସିଲ୍ଡ ଟିକା ଉତ୍ପାଦନ କରୁଛି ।

You might also like