ଦେଶରେ ପୁଣି ୩ ହଜାର ଟପିଲା ମୃତକଙ୍କ ସଂଖ୍ୟା, ତୃତୀୟ ଲହର ଆସିବା ନେଇ ଆଶଙ୍କା

ନୂଆଦିଲ୍ଲୀ: ପୁଣି ୩ ହଜାର ଟପିଲା ମୃତକଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟାରେ ୩ ହଜାର ୩୮୦ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଥିବା ରିପୋର୍ଟ ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩ ଲକ୍ଷ ୪୪ ହଜାର ୮୨କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଏବେ ଦେଶରେ ୧୫ ଲକ୍ଷ ୫୫ ହଜାର ୨୪୮ ଆକ୍ଟିଭ କେସ ରହିଥିବା ବେଳେ ଏଯାଏଁ ସୁସ୍ଥ ହେଲେଣି ୨ କୋଟି ୬୭ ଲକ୍ଷ ୯୫ ହଜାର ୫୪୯ ଜଣ । ସେହିଭଳି ଏଯାବତ୍ ଦେଶରେ ୨୨ କୋଟି ୭୮ ଲକ୍ଷ ୬୦ ହଜାର ୩୧୭ ଡୋଜ୍ ଟିକାକରଣ କରାଯାଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି ।

ଅନ୍ୟପଟେ କରୋନାର ତୃତୀୟ ଲହରୀ ନେଇ ନୀତି ଆୟୋଗ ସଦସ୍ୟଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । କରୋନାର ଦ୍ୱିତୀୟ ଲହରୀ ସହ ଏବେ ଲଢ଼େଇ କରୁଛି ଦେଶ । ଦ୍ୱିତୀୟ ଲହରୀରେ ସଂକ୍ରମଣ ସାମାନ୍ୟ ଥମିଥିବା ବେଳେ ଏବେ ବି ସଂକ୍ରମଣ ସ୍ଥିତି ଆୟତରେ ନାହିଁ । ଆଉ ଏହାରି ମଧ୍ୟରେ ନୀତି ଆୟୋଗ ସଦସ୍ୟ ତୃତୀୟ ଲହରୀ ଆସିବା ନେଇ ଚେତାବନୀ ଦେଇଛନ୍ତି । ଯାହାକି ସମସ୍ତଙ୍କୁ ଆହୁରି ଆଶଙ୍କା ମଧ୍ୟକୁ ଠେଲି ଦେଇଛି । ଆସନ୍ତା ସେପ୍ଟେମ୍ବର ଓ ଅକ୍ଟୋବରରେ କରୋନାର ତୃତୀୟ ଲହରୀ ଆସିବାର ସମ୍ଭାବନା ଥିବା କଥା ନୀତି ଆୟୋଗ ସଦସ୍ୟ ଭିକେ ସାରସ୍ୱତ କହିଛନ୍ତି ।

ଖାଲି ସେତିକି ନୁହେଁ ଏହି ତୃତୀୟ ଲହରୀରୁ ବଞ୍ଚିବା ପାଇଁ ମଧ୍ୟ ସେ ବାଟ ଦେଖାଇଛନ୍ତି । ଅଧିକରୁ ଅଧିକ ଟିକାକରଣ ଦ୍ୱାରା ତୃତୀୟ ଲହରୀର ମୁକାବିଲା ସମ୍ଭବ ବୋଲି ସେ କହିଛନ୍ତି । ଦ୍ୱିତୀୟ ଲହରୀର ମୁକାବିକା କରିଛି ଭାରତ, ଏଥିପାଇଁ ଧୀରେ ଧୀରେ ସଂକ୍ରମଣ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ତୃତୀୟ ଲହରୀ ଆସିବା ପୂର୍ବରୁ ପ୍ରସ୍ତୁତି ଜୋର ହେବା ଆବଶ୍ୟକ । ସାରା ଦେଶରେ ଟିକାକରଣ କରି ଏହି ସଙ୍କଟରୁ ରକ୍ଷା ପାଇହେବ । କୋଭିଡର ତୃତୀୟ ଲହରୀକୁ କୌଣସି ମତେ ଟାଳି ହେବ ନାହିଁ ବୋଲି ଭିକେ ସାରସ୍ୱତ ଚେତାବନୀ ଦେଇଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ୮ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୨୯ ସଂକ୍ରମିତ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୪,୩୩୧ ଜଣ ଥିବାବେଳେ ଲୋକାଲ କେସ୍ ଅଛି ୩,୩୯୮  । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। 

ଅନ୍ୟପକ୍ଷେ ଓଡ଼ିଶାରେ ଆଜି କରୋନା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । ଗତକାଲି ରାଜ୍ୟରେ ସର୍ବାଧିକ ୪୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ୩୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଅନୁଗୁଳ, ଝାରସୁଗୁଡ଼ା ଓ କଳାହାଣ୍ଡି, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ବୌଦ୍ଧ, କଟକ, ଦେବଗଡ଼, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ସଂକ୍ରମିତ ଆଖି ବୁଜିଛନ୍ତି । ସେହିପରି ବଲାଙ୍ଗିର, ଢେଙ୍କାନାଳ ଓ ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୯୧୨କୁ ବୃଦ୍ଧି ପାଇଛି ।

You might also like