ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ମମତାଙ୍କ ଅଜବ ଆଚରଣ, ନିନ୍ଦା କଲେ ଅମିତ ଶାହ – ଜେପି ନଡ୍ଡା

ନୂଆଦିଲ୍ଲୀ: ବାତ୍ୟା ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସମୀକ୍ଷା ବୈଠକରେ ଅଧଘଣ୍ଟା ବିଳମ୍ବରେ ପହଞ୍ଚିଲେ ମମତା । ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ୟାସର ଏକ ରିପୋର୍ଟ ଦେଇ ଚାଲିଗଲେ ମମତା । ଅନ୍ୟ ଏକ ବୈଠକ ଥିବା ବାହାନା ଦେଖାଇ ମମତା ଚାଲିଯାଇଥିବା ସୂଚନା ରହିଛି ।

ତେବେ ମମତାଙ୍କ ଏଭଳି ଆଚରକୁ ବିଜେପି ପକ୍ଷରୁ ଘୋର ନିନ୍ଦା ଓ କଡ଼ା ସମାଲୋଚନା କରାଯାଇଛି । ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷାରେ ମମତା ଯୋଗ ନଦେବା ପ୍ରସଙ୍ଗକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ।ସେ ଆହୁରି କହିଛନ୍ତି ପଶ୍ଚିମବଙ୍ଗର ବାତ୍ୟାପୀଡ଼ିତ ଏବେ ସହାୟତା ଅପେକ୍ଷାରେ । ବିପତ୍ତି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଆତ୍ମଗର୍ବର ପରିଚୟ। ଆଜିର ଘଟଣା ମମତାଙ୍କ ଗର୍ବ ବୋଧର ପରିଚୟ ଦେଇଛି କହିଲେ ଅମିତ ଶାହା ।

ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ମମତାଙ୍କ ଏଭଳି ଆଚରଣକୁ କଡ଼ା ସମାଲୋଚନା କରିବା ସହ ଦୃଢ଼ ନିନ୍ଦା କରିଛନ୍ତି । ସେ କହିଛନ୍ତି ସମୀକ୍ଷା ବୈଠକରେ ମମତାଙ୍କ ଅନୁପସ୍ଥିତି, ସଂଘୀୟ ବ୍ୟବସ୍ଥା ପ୍ରତି ଅପମାନ । ମମତା ଏଭଳି କରିବା ଉଚିତ୍ ନୁହେଁ । ଖାଲିସେତିକି ନୁହେଁ ପଶ୍ଚିମବଙ୍ଗ ବାତ୍ୟା ସହ ଲଢୁଥିବା ବେଳେ ମମତାଙ୍କ ଏଭଳି ମନମୁଖୀ କାର୍ଯ୍ୟ ଜନବିରୋଧୀ ବୋଲି କୁହାଯାଇପାରେ । ସେ ଲୋକଙ୍କ ମଙ୍ଗଳ ଚାହୁଁନାହାନ୍ତି ।

ଅନ୍ୟପଟେ ଓଡ଼ିଶାକୁ ୫୦୦ କୋଟି ଟଙ୍କାର ବାତ୍ୟା ସହାୟତା ଦେଲେ କେନ୍ଦ୍ର ସରକାର । ବାତ୍ୟା ପାଇଁ ମୋଟ ହଜାରେ କୋଟିର ସହାୟତା ଘୋଷଣା କଲା କେନ୍ଦ୍ର । ବାକି ୫୦୦ କୋଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା ହୋଇଛି । ଏହାସହ ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ମିଳିବା ସହ ଗୁରୁତରଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା ହୋଇଛି । ପୂର୍ବରୁ ଭୁବନେଶ୍ୱରରେ ବାତ୍ୟା ସମୀକ୍ଷା ବୈଠକ ପରେ ଏରିଏଲ ସର୍ଭେରେ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ବୈଠକକୁ ନେଇ ବଡ଼ ସୂଚନା ଦେଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

ସେପଟେ, ବାତ୍ୟା ୟାସ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ପାଇଁ ତତ୍କାଳ ସହାୟତା ମାଗିନଥିଲା ଓଡ଼ିଶା । ଦେଶ କରୋନା ମହାମାରୀରେ ଯୁଝି ହେଉଥିବାରୁ ବର୍ତ୍ତମାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୌଣସି ସହାୟତା ମଗା ଯାଇନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଜଣାଇଛନ୍ତି । କେନ୍ଦ୍ର ଉପରେ ବୋଝ ନଲଦି ନିଜ ସମ୍ବଳରୁ ବର୍ତ୍ତମାନ ପାଇଁ ବାତ୍ୟା ମୁକାବିଲା କରାଯିବ ବୋଲି ସେ କହିଛନ୍ତି । ତେବେ ବାତ୍ୟା ଭଳି ବଡ଼ ବିପର୍ଯ୍ୟୟର ମୁକାବିଲା ପାଇଁ ୨ ପ୍ରକାର ଦୀର୍ଘମିଆଦି ସହାୟତା ଆଶା କରିଛନ୍ତି । ରାଜ୍ୟ ସରକାର ବିଶେଷ କରି ବିପର୍ଯ୍ୟୟ ସମ୍ଭାଳି ପାରୁଥିବା ବିଦ୍ୟୁତ୍‌ ବ୍ୟବସ୍ଥା ଓ ବଡ଼ ଜୁଆରରୁ ରକ୍ଷା ପାଇବା ଭଳି ସାମୁଦ୍ରିକ ବନ୍ଧ ନିର୍ମାଣ ନେଇ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଦାବି କରିଥିବା ନବୀନ ତାଙ୍କ ଟ୍ୱିଟ୍‌ରରେ ଉଲ୍ଲେଖ କରିଛନ୍ତି ।

You might also like