କୋଭିଡରେ ମୃତକଙ୍କ ପରିବାର ପାଇଁ କେଜ୍ରିୱାଲଙ୍କ ବଡ଼ ଘୋଷଣା..

ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ୍ ମୃତକଙ୍କ ପରିବାର ଲାଗି ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମୃତକଙ୍କ ପରିବାର ସଦସ୍ୟଙ୍କୁ ସରକାରଙ୍କ ପକ୍ଷରୁ ମିଳିବ ୫୦ ହଜାର ଟଙ୍କାର ସହାୟତା ରାଶି । ଖାଲି ସେତିକି ନୁହେଁ ଏହି ସହାୟତା ରାଶି ସହ ଉକ୍ତ ପରିବାରକୁ ମାସିକ ୨୫୦୦ ଟଙ୍କା ଲେଖାଏଁ ପେନସନ୍ ମଧ୍ୟ ଦେବେ କେଜ୍ରିୱାଲ ସରକାର ।

ଖାଲି ସେତିକି ନୁହେଁ କେଜ୍ରିୱାଲ ଆହୁରି ଘୋଷଣା କରିଛନ୍ତି ଯେ, ଲକଡାଉନ ଓ ସଟଡାଉନ୍ ଯୋଗୁଁ ହଇରାଣ ହେଉଥିବା ଗରିବ ପରିବାର ମାନଙ୍କୁ ମାଗଣା ରାସନ ଯୋଗାଇବେ ଦିଲ୍ଲୀ ସରକାର । ଚଳିତ ମାସ ପାଇଁ ପ୍ରତ୍ୟେକ ଗରିବ ପରିବାରକୁ ୧୦ କିଲୋଗ୍ରାମର ରାସନ ଯୋଗାଇ ଦିଆଯିବ ।

ତେବେ ଏହା ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଭଳି ଘୋଷଣା କରିସାରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୋଭିଡରେ ମୃତକଙ୍କ ପରିବାରକୁ ୨୫୦୦ ଟଙ୍କା ପେନସନ ଦେବେ ବୋଲି ଘୋଷଣା କରିଥିବା ବେଳେ, ଓଡ଼ିଶା ସରକାର ମୃତକଙ୍କ ବିଧବା ପତ୍ନୀ କିମ୍ବା ବାପା-ମାଙ୍କୁ ହରାଇଥିବା ପିଲାଙ୍କୁ ପେନସନ୍ ଦେବେ ବୋଲି କହିଛନ୍ତି । ସମସ୍ତଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ୍ କରାଯିବ । ବାପା-ମାଙ୍କୁ ହରାଇଥିବା ପିଲାଙ୍କୁ ମାଗଣା ଶିକ୍ଷାଦାନ ଲାଗି ମଧ୍ୟ ଓଡ଼ିଶା ସରକାର ଘୋଷଣା କରିଛନ୍ତି ।

ସେହିଭଳି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, ଯଦି କୌଣସି ବ୍ୟକ୍ତି କୋଭିଡ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରନ୍ତି ତେବେ ତାଙ୍କ ଅନାଥ ଛୁଆ ନାଁରେ ୧୦ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ କରିବେ ଆନ୍ଧ୍ର ସରକାର । ଉକ୍ତ ଛୁଆକୁ ୨୫ ବର୍ଷ ହେବା ଯାଏ ଏହି ଟଙ୍କା ଫିକ୍ସ ଡିପୋଜିଟ୍ ରହିବ । ଏଥିରୁ ପ୍ରତ୍ୟେକ ମାସରେ ଯେଉଁ ସୁଧ ଟଙ୍କା ଆସିବ ସେହି ଟଙ୍କାକୁ ପିଲାର ଖର୍ଚ୍ଚ ପାଇଁ ତାଙ୍କର ଗାର୍ଡିଅନକୁ ଦିଆଯିବ । ଖାଲି ସେତିକି ନୁହେଁ, ଜଗନମୋହନ ରେଡ୍ଡି ଆହୁରି କହିଛନ୍ତି ଯେ, ବ୍ଲାକ୍ ଫଙ୍ଗସ ରୋଗରେ ଯଦି କେହି ଆକ୍ରାନ୍ତ ହୁଅନ୍ତି ତେବେ ତାଙ୍କୁ ଆରୋଗ୍ୟ ଶ୍ରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ।

You might also like