କରୋନା ପରେ ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା, ସୁଗାର ଲେବୁଲ ବଢ଼ିଲେ ଏହା ମାରାତ୍ମକ..

ରାଜସ୍ଥାନ: ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା । ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ପୂର୍ବରୁ ଖୁବ୍ ବିରଳ ଦେଖାଯାଉଥିବା ଏହି ସଂକ୍ରମଣ ଏବେ କରୋନାରୁ ଆରୋଗ୍ୟ ହେଉଥିବା ବହୁ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ତେବେ ରାଜସ୍ଥାନରେ ପ୍ରାୟ ୧୦୦ଜଣଙ୍କ ଠାରେ ଏହି ଫଙ୍ଗାଲ୍ ଇନଫେକ୍ସନ ଠାବ ହେବା ପରେ ସରକାରଙ୍କ ପକ୍ଷରୁ ଏହାକୁ ମହାମାରୀ ବା ଏପିଡେମିକ୍ ଘୋଷଣା କରାଯାଇଛି ।

ଏଥିସହ ଜୟପୁର ସ୍ଥିତ ସଓ୍ୱାଇ ମାନସିଂ ହସ୍ପିଟାଲରେ କେବଳ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଓ୍ୱାର୍ଡ ଖୋଲାଯାଇଛି । ଏପଟେ ବ୍ଲାକ ଫଙ୍ଗସ୍ ସଂପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ଓ ପରେଶ ମହାନ୍ତି କହିଛନ୍ତି ଯେ, ଶରୀରରେ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି କମିଲେ ବ୍ଲାକ ଫଙ୍ଗସ୍ ପ୍ରବେଶ କରିଥାଏ । ଏହା ବାୟୁ ମଣ୍ଡଳରେ ଥାଏ ଏବଂ ଶ୍ୱାସକ୍ରିୟା ଜରିଆରେ ଶରୀରରେ ପ୍ରବେଶ କରିଥାଏ । ସୁଗାର ଲେବୁଲ ଅଧିକ ଥିବା ଲୋକଙ୍କ କ୍ଷେତ୍ରରେ ବ୍ଲାକ ଫଙ୍ଗସ ଦେଖାଦିଏ ।

ଏହି ସଂକ୍ରମଣ ହେଲେ ଆଖି ଫୁଲିବା, ନାକରୁ କଳା ପାଣି ନିର୍ଗତ ହେବା, ପତଳା ଝାଡ଼ା ହେବା ବା ଚର୍ମରେ କଳା କଳା ଫୋଟକା ହେବା ଆଦି ଲକ୍ଷଣ ଦେଖାଯାଏ । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଜରୁରୀ । ବ୍ଲାକ ଫଙ୍ଗସ ରୋଗୀଙ୍କୁ ଏମ୍ଫୋଟେରିସିନ୍-ବି ଔଷଧ ଦିଆଯାଏ । ତାହା ପର୍ଯ୍ୟାପ୍ତ ପରିମାଣରେ ଅଛି ବୋଲି କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।

ତେବେ ଏହା ପୂର୍ବରୁ ଏମସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ମଧ୍ୟ ବ୍ଲାକ୍ ଫଙ୍ଗସ ନେଇ ବିଶେଷ ସୂଚନା ଦେଇଥିଲେ। ସେ କହିଥିଲେ ଏହି ରୋଗ ବହୁ ଆଗରୁ ଅଛି । ହେଲେ ପୂର୍ବରୁ ଏହା ଏତେ ମାତ୍ରାରେ ସଂକ୍ରମଣ ହେଉନଥିଲା । କିନ୍ତୁ ଏବେ କରେନା ପାଇଁ ଏହାର ସଂକ୍ରମଣ ବଢ଼ିବାରେ ଲାଗିଛି । ଏହି ବ୍ଲାକ୍ ଫଙ୍ଗସ ରୋଗକୁ ମ୍ୟୁକୋରମାଇକୋସିସ୍ ମଧ୍ୟ କୁହାଯାଏ ।

ବ୍ଲାକ୍ ଫଙ୍ଗସ ରୋଗ, ବିଶେଷକରି ଶରୀରରେ ସୁଗାର ଲେବଲ ବେଶି ରହିଲେ ଏବଂ ଇମ୍ୟୁନିଟି ପାୱାର କମିଲେ ଦେଖାଯାଇଥାଏ । କେମୋ ନେଉଥିବା କ୍ୟାନସର ରୋଗୀଙ୍କ ଠାରେ ମଧ୍ୟ ଏହା ଦେଖାଯାଇଥାଏ । ହେଲେ ଏବେ କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ବ୍ଲାକ ଫଙ୍ଗସ ରୋଗ ଦେଖାଯାଉଛି ।

ଚିକିତ୍ସା ବେଳେ ଷ୍ଟେରଏଡ ନେଉଥିବା ରୋଗୀକୁ ଏହି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ସଂଭାବନା ବେଶି ରହିଛି । ତେଣୁ ରୋଗୀକୁ ଆବଶ୍ୟକ ଅନୁସାରେ ଉଚିତ ପରିମାଣର ଷ୍ଟେରଏଡ ନେବାକୁ ପରାମର୍ଶ ଦେଇଛନ୍ତି ରଣଦୀପ ଗୁଲେରିଆ । ଆବଶ୍ୟକଠାରୁ ଅଧିକ ଷ୍ଟେରଏଡ ନେଲେ ଏହା ଘାତକ ସିଦ୍ଧ ହୋଇପାରେ । ମଧୁମେହ ରୋଗୀ ସୁଗାର ଲେବଲ ନିୟନ୍ତ୍ରଣ କରି ଷ୍ଟେରଏଡ ନେବା ଜରୁରୀ ବୋଲି କହିଛନ୍ତି ଗୁଲେରିଆ ।

You might also like