ଭୁବନେଶ୍ୱର: ଜଙ୍ଗଲ ନିଆଁ ଭଳି ରାଜ୍ୟରେ ମାଡି ଚାଲିଛି କରୋନା ସଂକ୍ରମଣ। ଆଜି ଗୋଟିଏ ଦିନରେ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ମେ ମାସରେ ମହାମାରୀ ଆହୁରି ଉଗ୍ର ହେବ ଏବଂ ୧୦-୧୫ ଦିନ ଭିତରେ ସଂକ୍ରମଣ ପିକରେ ପହଞ୍ଚିପାରେ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି। ଯେ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହର୍ଡ ଇମ୍ୟୁନିଟି ସୃଷ୍ଟି ନହୋଇଛି, ସେ ଯାଏଁ ଗୋଷ୍ଠୀ ସଂକ୍ରମଣ ରୋକି ହେବନାହିଁ ବୋଲି ମତ ଦେଇଛନ୍ତି ବିଶିଷ୍ଟ କମ୍ୟୁନିଟି ମେଡିସନ୍ ବିଶେଷଜ୍ଞ ପ୍ରଫେସର ଡାକ୍ତର ଇ. ଭେଙ୍କଟ ରାଓ।

ସେ କହିଛନ୍ତି, ଆଜିର ଦିନରେ ବାହାର ଦେଶରୁ କୌଣସି କରୋନା ମାମଲା ଆସୁନି। କରୋନା ଭୂତାଣୁ ଦେଶ ଭିତରେ ହିଁ ମ୍ୟୁଣ୍ଟାଣ୍ଟ୍‌ ହେଉଛି। କେବଳ ଲୋକେ ସଚେତନ ହେଲେ ହିଁ ଗୋଷ୍ଠୀ ସଂକ୍ରମଣକୁ ରୋକାଯାଇପାରିବ ଓ ସଂକ୍ରମଣ ଗ୍ରାଫ୍ ତଳମୁହାଁ ହେବ ବୋଲି ଡାକ୍ତର ରାଓ କହିଛନ୍ତି। ତେବେ ରାଜ୍ୟରେ ଭୟଙ୍କର ହେଲାଣି କରୋନା ସ୍ଥିତି।

ଆଜି ପୁଣି ନୂଆ ରେକର୍ଡ। ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୪୧୩ ଜଣ କରୋନା ପଜିଟିଭ ଚିହ୍ନଟ। ଗତକାଲି ଏହି ସଂଖ୍ୟା ୮ ହଜାର ୬୮୧ ଥିବା ବେଳେ ଆଜି ତାହା ୧୦ ହଜାର ପାର୍ ହୋଇଛି। ଏହି ସଂକ୍ରମଣ ସଂଖ୍ୟା ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ତେବେ ନୂଆ ୧୦୪୧୩ ସଂକ୍ରମିତଙ୍କ ମଧ୍ୟରୁ ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଚିହ୍ନଟ। ଖୋର୍ଦ୍ଧାରୁ ୧୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦ ପଜିଟିଭ ଚିହ୍ନଟ । ସେହିପରି କଟକରୁ ୮୨୮, ପୁରୀରୁ ୫୩୩, ବରଗଡ଼ରୁ ୫୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଝାରସୁଗୁଡ଼ାରୁ ୪୪୨, ସମ୍ବଲପୁରରୁ ୪୨୬, ନୂଆପଡ଼ାରୁ ୪୧୮, ଅନୁଗୁଳରୁ ୩୯୨, ନବରଙ୍ଗପୁରରୁ ୩୭୮, କଳାହାଣ୍ଡିରୁ ୩୭୬, ଯାଜପୁରରୁ ୩୩୨, ମୟୂରଭଞ୍ଜରୁ ୨୪୭, ଗଞ୍ଜାମରୁ ୨୩୨, ନୟାଗଡ଼ରୁ ୨୧୮, ଭଦ୍ରକରୁ ୨୦୧, ରାୟଗଡ଼ାରୁ ୨୦୦, ବଲାଙ୍ଗିରରୁ ୧୬୦, ଗଜପତିରୁ ୧୫୬, ସୁବର୍ଣ୍ଣପୁରରୁ ୧୩୦, କେନ୍ଦୁଝରରୁ ୧୨୬, ଦେବଗଡ଼ରୁ ୧୦୩ ଓ ଷ୍ଟେଟ୍ ପୁଲରୁ ୩୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେପଟେ ଭୁବନେଶ୍ୱରର କରୋନା ସ୍ଥିତି ନେଇ ବିଏମସି କମିଶନର କରିଛନ୍ତି ପ୍ରେସମିଟ୍। କହିଛନ୍ତି, ଗତ ଦୁଇ ତିନି ଦିନ ହେଲା ଭୁବନେଶ୍ୱରରୁ ଏକ ହଜାର ପାଖାପାଖି କେସ୍ ଆସୁଛି। ‘ଏବେ ଆମ ପାଖରେ ୩୫୫୩ ବିଭିନ୍ନ ବିଭାଗର ବେଡ୍ ଅଛି’। ୫୩୧ ଆଇସିୟୁ, ୮୩୬ ଏଚଡିୟୁ, ୨୧୮୬ ସାଧାରଣ ବେଡ୍ ରହିଛି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ପ୍ରତିଶତ ଘରେ ରହି ଚିକିତ୍ସିତ ହେଉଛନ୍ତି ବୋଲି କହିଲେ କମିଶନର। ଏହାସହ ବିଏମ୍ସିରେ କୋଭିଡ୍ ବେଡର ଅଭାବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୭୫୮୮ ଆକ୍ଟିଭ୍‌ କେସ୍ ରହିଛି। ଉପଲବ୍ଧ ବେଡ୍ ମଧ୍ୟରୁ ୫୩୧ଟି ICU ବେଡ୍ ରହିଛି ଏବଂ ICU ବେଡର ୯୫ ପ୍ରତିଶତରେ ରୋଗୀଙ୍କ ଚିକିତ୍ସା ଚାଲିଛି ବୋଲି କମିଶନର ସୂଚନା ଦେଇଛନ୍ତି।

Other Stories