ଅଷ୍ଟମ ଫେଲ୍‌ ଯୁବକ ସାଇବର ସିକ୍ୟୁରିଟି କମ୍ପାନୀ ସିଇଓ

କୁହାଯାଏ ନିଜର ରୁଚି ଓ ଇଚ୍ଛା ଅନୁଯାୟୀ କାମ କଲେ ସଫଳତା ନିଶ୍ଚୟ ମିଳିଥାଏ। ଏମିତି ଏକ ଉଦାହରଣ ହେଉଛନ୍ତି ତ୍ରିଶନୀତ ଅରୋରା। ଆଜି ସାରା ବିଶ୍ୱରେ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଯାଇଛନ୍ତି ସେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସ୍କୁଲ୍‌ ଡ୍ରପ୍‌ ଆଉଟ୍‌  ତ୍ରିଶନୀତ ଆଜି ଜଣେ ସାଇବର ସିକ୍ୟୁରିଟି ଏକ୍ସପର୍ଟ। ଏପରିକି ଫୋର୍ବସର ଏସିଆ ୩୦ ଅଣ୍ଡର ୩୦ ଲିଷ୍ଟରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି ତ୍ରିଶନୀତ ।

ତ୍ରିଶନୀତଙ୍କ ଜୀବନରେ କେମିତି ଆସିଲା ପରିବର୍ତ୍ତନ –

ଛୋଟବେଳୁ ହିଁ ତ୍ରିଶନୀତଙ୍କର କମ୍ପ୍ୟୁଟର ପ୍ରତି ରୁଚି ରହିଥିଲା। ଏପରିକି ଅଧିକାଂଶ ସମୟ ସେ ଭିଡ଼ିଓ ଗେମ୍‌ ଖେଳିବାରେ ବ୍ୟସ୍ତ ରହୁଥିଲେ। କିନ୍ତୁ ଅଧିକାଂଶ ସମୟ କମ୍ପ୍ୟୁଟର ସାମ୍ନାରେ ବସୁଥିବାରୁ ତାଙ୍କ ବାପା ବାରମ୍ବାର ଏହାର ପାସୱାର୍ଡ ବଦଳାଇ ଦେଉଥିଲେ। କିନ୍ତୁ ତ୍ରିଶନୀତ ପ୍ରତିଥର ପାସୱାର୍ଡକୁ କ୍ରାକ୍ କରିବା ସହ ଭିଡ଼ିଓ ଗେମ୍‌ ଖେଳୁଥିଲେ। ଏହାଦେଖି ତାଙ୍କ ବାପା ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ତ୍ରିଶନୀତଙ୍କୁ ଆଗକୁ ବଢିବା ପାଇଁ ନୂଆ କମ୍ପ୍ୟୁଟର ମଧ୍ୟ କିଣି ଦେଇଥିଲେ। ଯାହା ତ୍ରିଶନୀତଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଥିଲା। ଆଉ ଏହାପରେ ସେ ପଛକୁ ଫେରି ଚାହିଁନଥିଲେ, ପାଲଟିଯାଇଥିଲେ ସାଇବର ସିକ୍ୟୁରିଟି ଏକ୍ସପର୍ଟ।

ସ୍କୁଲରେ ପଢିବା ସମୟରେ ହିଁ ପାଠ ପଢା ଛାଡି ଦେଇଥିଲେ। ଅଷ୍ଟମ ଶ୍ରେଣୀ ଫେଲ୍‌। କିନ୍ତୁ ଏବେ ବର୍ଷକୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଚଣ୍ଡିଗଡରେ ତ୍ରିଶନୀତଙ୍କ ଟିଏସି ନାମରେ ଏକ ସାଇବର ସିକ୍ୟୁରିଟି କମ୍ପାନୀ ଥିବା ବେଳେ ଏବେ ତାଙ୍କର ୫୦୦ରୁ ଅଧିକ କ୍ଲାଏଣ୍ଟ ରହିଛନ୍ତି । ସେହି କମ୍ପାନୀରେ ୨୫ ବର୍ଷିୟ ତ୍ରିଶନୀତ ସିଇଓ ଦାୟିତ୍ୱ ତୁଲାଉଛନ୍ତି ।

ସବୁଠୁ ବଡ କଥା ହେଲା କମ୍ପ୍ୟୁଟର ଶିକ୍ଷା ବିନା ହିଁ ତ୍ରିଶନୀତ ନିଜକୁ ଜଣେ ସାଇବର ସିକ୍ୟୁରିଟି ଏକ୍ସପର୍ଟ ଭାବେ ନିଜକୁ ପ୍ରମାଣିତ କରି ପାରିଛନ୍ତି । କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର କ୍ଲାଇଣ୍ଟ ରହିଛନ୍ତି । ଏପରିକି ୪ଟି ଦେଶର ସରକାର ନିଜର ସାଇବର ସେଲର ସୁରକ୍ଷା ପାଇଁ ତ୍ରିଶନୀତଙ୍କ ସାହାଯ୍ୟ ଲୋଡିଥାନ୍ତି । ଏହାଛଡା ନିର୍ବାଚନ ଆୟୋଗ, ସିବିଆଇ, ପଞ୍ଜାବ ପୋଲିସ, ଗୁଜରାଟ ପୋଲିସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ବିଭିନ୍ନ ପେମେଣ୍ଟ ଆପ ସାଇବର ସୁରକ୍ଷା ପାଇଁ ତ୍ରିଶନୀତଙ୍କୁ ଖୋଜିଥାନ୍ତି ।

Comments
Loading...