ଡାକ୍ତରଙ୍କ ଅଭାବରେ ଚାଲିଛି ଅନୁଗୁଳ ଜିଲ୍ଲାର ମେଡ଼ିକାଲ

ଅନୁଗୁଳ: ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ଡାକ୍ତରଙ୍କ ମରୁଡ଼ି।  ଅର୍ଦ୍ଧାଧିକ ଡାକ୍ତର ପଦବୀ ଖାଲି। କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ୫୦ରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଛି।  ବହୁ ସ୍ଥାନରେ ଡାକ୍ତରଙ୍କ ଦେଖା ନ ପାଇ ନିରାଶ ହେଉଛନ୍ତି ରୋଗୀ

ଅନୁଗୁଳ ଜିଲ୍ଲା ପାଇଁ ମୋଟ ୧୯୮ ଡାକ୍ତର ପଦବୀ ଥିବା ବେଳେ ସେଥିରୁ ଅର୍ଦ୍ଧାଧିକ ପଦବୀ ଖାଲି ପଡ଼ିଥିବାବେଳେ ମାତ୍ର ୯୨ ଡାକ୍ତର ଅଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ଅବସ୍ଥା ଶୋଚନୀୟ।  ୩୮ଜଣ ଡାକ୍ତରଙ୍କ ବଦଳରେ ଅଛନ୍ତି ୧୬ ଜଣ ସ୍ଥାୟୀ ଓ ୨ଜଣ କଣ୍ଟ୍ରାକ୍ଚୁଆଲ୍ ଡାକ୍ତର।

ଡାକ୍ତରଙ୍କ ଅଭାବ ନେଇ ଏମିତି ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଅନୁଗୁଳ ବଲଙ୍ଗ ଗାଁର ବିଷ୍ଣୁ ମହାଳିକ। ବିଷ୍ଣୁ ତାଙ୍କ  ପୁତୁରାକୁ ନେଇ ଗାଁରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବା ବେଳକୁ ସେଠାରେ କୌଣସି ଡାକ୍ତର କି କୌଣସି କର୍ମଚାରୀ ନ ଥିବାର ସେ କହିଛନ୍ତି।  କେବଳ ବଲଙ୍ଗର ବିଷ୍ଣୁ ନୁହନ୍ତି, ଲବଙ୍ଗୀ, ଜୁକୁବ, ତଳସରା ଆଦି ଗାଁଲୋକେ ବି ଡାକ୍ତରଙ୍କ ଦେଖା ନ ପାଇ ଏଠାରୁ ନିରାଶ ହୋଇ ଫେରୁଥିବା ଅଭିଯୋଗ ହେଉଛି।

ବଲଙ୍ଗ ଭଳି ଜିଲ୍ଲାର ପ୍ରାୟ ୪୦ଟି ସ୍ୱାସ୍ଥ୍ୟକେନ୍ଦ୍ରର ଏହି ଅବସ୍ଥା। ସ୍ୱାସ୍ଥ୍ୟକେନ୍ଦ୍ରରେ ମାସକୁ ମାତ୍ର ୪-୫ ଦିନ ଡାକ୍ତର ରହୁଥିବାରୁ ରୋଗୀସେବା ଅତି ଦୟନୀୟ ଅବସ୍ଥାରେ ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି।

ଡାକ୍ତର ଅଭାବ ଯୋଗୁଁ ଲୋକେ ଦେଶୀ ଚିକିତ୍ସା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି। ଅବସ୍ଥା ସୁଧାରିବାକୁ ଚେଷ୍ଟା ଚାଲିଛି ବୋଲି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି। ତେବେ ଏଭଳି ସ୍ଥିତିରେ କେତେ ଫଳପ୍ରଦ ହେବ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ତାକୁ ନେଇ ପ୍ରଶ୍ନ।

Comments
Loading...