ସିଆଇଆଇ ବିବାଦ: ବିଜେଡି କହିଲା ଷଡ଼ଯନ୍ତ୍ର, ଖଣ୍ଡନ କଲେ ଜଗି

ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରୁ ସିଆଇଆଇ ଓହରିଯିବା ପରେ ବିବାଦ ବଢ଼ିବାରେ ଲାଗିଛି। ଭାଗିଦାରୀ ପାଇଁ ସିଆଇଆଇ ପ୍ରଥମେ ସମ୍ମତି ଦେଇ ପରେ ଓହରିଯିବା ଏକ ଚକ୍ରାନ୍ତ ବୋଲି ବିଜେଡି କହିଛି। ଏଥିପାଇଁ ସାଂସଦ ବୈଜୟନ୍ତ ପଣ୍ଡା ଓ ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷା ଜଗି ମଙ୍ଗତ ପଣ୍ଡାଙ୍କୁ ଦାୟୀ କରିଛି ଦଳ। କିନ୍ତୁ ବିଜେଡିର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜଗି। ବିଜେଡି ତାଙ୍କୁ ଅଯଥା ପଲିଟିକ୍ସକୁ ନଟାଣୁ। ଯାହା ରାଜନୀତି କରିବାର ଅଛି ବୈଜୟନ୍ତଙ୍କୁ ନେଇ କରନ୍ତୁ ବୋଲି ଜଗି କହିଛନ୍ତି। ଏହି ଘଟଣାରେ ରାଜ୍ୟ ଶିଳ୍ପ ବିଭାଗର ଭୂମିକା ନେଇ ମଧ୍ୟ ଉଠିଛି ପ୍ରଶ୍ନ।

ସିଆଇଆଇ ଓହରିବା ଯିବା ପାଇଁ ପୂର୍ବାଞ୍ଚଳ ଅଧ୍ୟକ୍ଷା ଜଗି ମଙ୍ଗତ ଚାପ ପକାଇଥିବା ସନ୍ଦେହ କରୁଛି ଦଳ। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରଶ୍ନ ଉଠାଇଛି। ଦଳ କହିଛି, ଗତ ଫେବ୍ରୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଏହି କନକ୍ଲେଭ୍‌ରେ ସମସ୍ତ ସହଯୋଗ କରିବାକୁ ସିଆଇଆଇ ସମ୍ମତି ଜଣାଇଥିଲା। ହଠାତ୍ ଏପ୍ରିଲ ୪ ତାରିଖରେ କାହିଁକି ଏଥିରୁ ଓହରି ଯିବାକୁ ନିଷ୍ପତ୍ତି ନେଲା। ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷା ନା ଶିଳ୍ପସଂସ୍ଥା କିଏ ଏଥିପାଇଁ ଚାପ ପକାଉଛନ୍ତି ବୋଲି ଦଳ ପ୍ରଶ୍ନ କରିଛି।

ତେବେ କେଉଁ ଆଧାରରେ ବିଜେଡି ଏହି ଅଭିଯୋଗ ଆଣୁଛି ସେ ପ୍ରଶ୍ନରେ କୌଣସି ଠୋସ୍ ତଥ୍ୟ କିମ୍ବା ପ୍ରମାଣ ଦେଇପାରି ନଥିଲା ଦଳ। ଓଲଟା ଆଳ ଦେଖାଇ, ସାଂସଦ  ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିରୁ ନିଲମ୍ବନ ପରେ ଏଭଳି ସନ୍ଦେହ ଉପୁଜୁଥିବା ଦଳ କହିଛି। ସେହିପରି ଏହି ଘଟଣାରେ ସ୍ପଷ୍ଟୀକରଣ ଦେଇ ଜଗି କହିଛନ୍ତି ଯେ, ମେକ୍ ଇନ୍ ଓଡ଼ିଶା ସଫଳ ହେବା ପାଇଁ ସିଆଇଆଇର ପୂର୍ବାଞ୍ଚଳ ଅଧ୍ୟକ୍ଷା ହିସାବରେ ସମ୍ପୂର୍ଣ୍ଣ ସହଯୋଗ କରିବେ। ଏହି ପ୍ରସଙ୍ଗରେ ସିଆଇଆଇର ରାଜ୍ୟ ଅଫିସ୍ କିମ୍ବା କେନ୍ଦ୍ରୀୟ ଅଫିସ୍ ସହ ଆଲୋଚନା କରିବା ଉଚିତ୍।

 

 

Comments
Loading...