କୋଟିଆ ଓ କୁନ୍ଦୁଲି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

କୋରାପୁଟ : ଆନ୍ଧ୍ରର ଲୋଲୁପ ଦୃଷ୍ଟିକୁ ନେଇ ଚର୍ଚ୍ଚାରେ ଥିବା କୋଟିଆ ଗ୍ରାମପୁଞ୍ଜରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୋଟିଆ ଗାଁରେ ପହଞ୍ଚି ଜଗନ୍ନାଥଙ୍କ ଦର୍ଶନ ପରେ ଚାଲି ଚାଲି ଅଞ୍ଚଳବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ସାଧାରଣ ସଭାରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର। ପରେ ଗଣମାଧ୍ୟମକୁ କହିଥିଲେ, କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। ଏହା ଆମର ଥିଲା, ଅଛି ଓ ରହିବ। ଦଳମତ ନିର୍ବିଶେଷରେ ଓଡ଼ିଶା ଏ ପ୍ରସଙ୍ଗରେ ଏକ ଅଛି ବୋଲି କହିଥିଲେ ଧର୍ମେନ୍ଦ୍ର।

ଏପଟେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏଇ ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ବିଜେପିକୁ ପାଲଟା ଟାର୍ଗେଟ୍ କରିଛନ୍ତି। କଂଗ୍ରେସ କହିଛି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନାଟକ କରୁଛନ୍ତି।

କୋଟିଆ ଗ୍ରାମପୁଞ୍ଜ ପରିଦର୍ଶନ ପରେ ଧର୍ମେନ୍ଦ୍ର କୁନ୍ଦୁଲି ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ। ଦୁଷ୍କର୍ମ ଘଟଣାର ୬ ମାସ ଏବଂ ପୀଡ଼ିତା ଆତ୍ମହତ୍ୟା କରିବାର ଅଢ଼େଇମାସ ପରେ ବି ସରକାର ଦୋଷୀକୁ ଧରିବାରେ ବିଫଳ ହୋଇଛନ୍ତି। ଅନ୍ୟପକ୍ଷରେ ଏଇ ମାମଲା ସହ ଜଡ଼ିତ ଫୋରେନ୍ସିକ୍ ରିପୋର୍ଟରେ ଅସଙ୍ଗତିକୁ ଯେଉଁ ଗଣମାଧ୍ୟମ ସଂସ୍ଥା ଲୋକଲୋଚନକୁ ଆଣିଲେ ତାଙ୍କ ଉପରେ ଏବେ ଅତ୍ୟାଚାର ଆରମ୍ଭ ହୋଇଛି।

କ୍ରାଇମ୍‌ବ୍ରାଞ୍ଚ ଓଟିଭି ପ୍ରତିନିଧିଙ୍କୁ ଯେଉଁଭଳି ହଇରାଣ କରୁଛନ୍ତି ତାହା ନିନ୍ଦନୀୟ ବୋଲି ଧର୍ମେନ୍ଦ୍ର କହିବା ସହ ପରିବାରର ଦାବି ଅନୁଯାୟୀ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଧର୍ମେନ୍ଦ୍ର। ତେବେ ଜବାବରେ ବିଜେଡି କହିଛି କୁନ୍ଦୁଲି ଏବେ ଡେଡ୍ କେଶ୍।

Comments
Loading...