ପଲିଥିନ୍ ବ୍ୟାନ୍ ସଫଳ ହେବ ତ ?

ଭୁବନେଶ୍ୱର: ରାଜ୍ୟରେ ସବୁଠି ଖୋଲାଖୋଲି ଚାଲିଛି ପଲିଥିନ୍ ବ୍ୟବହାର। ମାତ୍ରାଧିକ ପଲିଥିନ୍‌ ବ୍ୟବହାର ଯୋଗୁଁ ହିଁ ପ୍ରଦୂଷିତ ହେଉଛି ପରିବେଶ। ଏହାକୁ ଆଖିରେ ରଖି ପଲିଥିନ୍ ବ୍ୟାନ୍ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ତେବେ ପ୍ଲାଷ୍ଟିକ ବ୍ୟବହାର ଅଭ୍ୟାସରୁ ଲୋକଙ୍କୁ କିଭଳି ଦୂରେଇ ରଖାଯିବ? ପଲିଥିନ୍‌ର ବିକଳ୍ପ ଭାବେ କେଉଁ ସାମଗ୍ରୀ ବ୍ୟବହାର କରାଯିବ? ତାହା ଏବେ ବଡ଼ ପ୍ରଶ୍ନ।

ସହରାଞ୍ଚଳରେ ନଗର ଉନ୍ନୟନ ବିଭାଗ ଓ ଗ୍ରାମାଂଚଳରେ ପଂଚାୟତିରାଜ ବିଭାଗ ଏହି କଟକଣାକୁ କାର୍ଯ୍ୟକାରୀ କରିବେ। ସାରା ରାଜ୍ୟରେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟର ତଦାରଖ କରିବ ଜଙ୍ଗଲ ଓ ପରିବେଶ ବିଭାଗ। ମହାରାଷ୍ଟ୍ର,ହିମାଚଳ ପ୍ରଦେଶ,ତାମିଲନାଡ଼ୁ ଭଳି ରାଜ୍ୟରେ କିଭଳି ପଲିଥିନ୍ ବ୍ୟାନ୍‌ କାର୍ଯ୍ୟକାରୀ ହେଉଛି ଓ କ’ଣ ରହିଛି ଆଇନ ତାକୁ ଅନୁଧ୍ୟାନ କରିବା ପରେ ସରକାର ନୂଆ ଆଇନ ଆଣିବେ। ଏନେଇ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ ଚିଠା ବିଲ୍ ପ୍ରସ୍ତୁତ କରି ୭ ଦିନ ଭିତରେ ଜଙ୍ଗଲ ଓ ପରିବେଶ ବିଭାଗକୁ ରିପୋର୍ଟ ପ୍ରଦାନ କରିବ।

ଅନ୍ୟପକ୍ଷରେ ପ୍ରଶ୍ନ ଉଠୁଛି ୫ ବର୍ଷ ପୂର୍ବରୁ ସରକାର ଗୁଟ୍‌ଖା ବ୍ୟାନ୍ ନେଇ ଘୋଷଣା କରିଥିଲେ। ହେଲେ ରାଜ୍ୟରେ ସବୁଠି ଖୋଲାଖୋଲି, ନିୟମଙ୍କୁ ଉଲ୍ଲଂଘନ କରି ଗୁଟ୍‌ଖା ବିକ୍ରି ଚାଲିଛି। କାର୍ଯ୍ୟାନୁଷ୍ଠାନ ବି ଆଖିଦୃଶିଆ ନୁହଁ। ପ୍ରଶ୍ନ ଉଠୁଛି ଯଦି ଗୁଟ୍‌ଖା ବ୍ୟାନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ଫେଲ୍ ମାରିଛନ୍ତି, ପଲିଥିନ୍ ବ୍ୟାନ୍ କରିବାରେ ସଫଳ ହେବେ ତ? ଗୁଟ୍‌ଖା ଭଳି ପଲିଥିନ୍ ବ୍ୟାନ୍ କେବଳ ଘୋଷଣାରେ ରହିଯିବନି ତ?

ଆସନ୍ତା ଗାନ୍ଧି ଜୟନ୍ତୀରୁ ୫ଟି ମହାନଗର ଓ ପୁରୀ ପୌରପାଳିକାରେ ନିଷିଦ୍ଧ ହେବ ପ୍ଲାଷ୍ଟିକ ଏବଂ ପଲିଥିନ୍ ବ୍ୟବହାର। ଏହାପରେ ୨ ବର୍ଷ ମଧ୍ୟରେ ରାଜ୍ୟବ୍ୟାପୀ ଏହି ନିୟମକୁ କଡ଼ାକଡ଼ି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Comments
Loading...