କେବେ ଗଠନ ହେବ ପିସିସି ଓ ଡିସିସି କମିଟି

ଭୁବନେଶ୍ୱର:ଜୁନ୍ ୯ରୁ ଏଆଇସିସି ପକ୍ଷରୁ ଜିଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା ସରିଲାଣି। ପ୍ରଥମେ ଜୁନ୍ ୧୫ ଓ ତାପରେ ଜୁନ୍ ୩୦ ସୁଦ୍ଧା ପିସିସି ଓ ଡିସିସି କମିଟି ଗଠନ ହେବ ବୋଲି କୁହାଯାଇଥିଲା। ହେଲେ ଜୁନ୍ ଯାଇ ଜୁଲାଇ ଅଧା ହେଲାଣି, ଏ ଦୁଇ କମିଟିର ନାଁ ଗନ୍ଧ ନାହିଁ।

୨୦୧୯ ସାଧାରଣ ନିର୍ବାଚନ ପାଇଁ ସଂସଦୀୟ କ୍ଷେତ୍ର ଅନୁଯାୟୀ କିଭଳି ପ୍ରସ୍ତୁତ ହୋଇଛି ଦଳ ସେ ନେଇ ବିଶଦ ବିବରଣୀ ଦେବାକୁ ଜୁଲାଇ ତୃତୀୟ ସପ୍ତାହରେ ବୈଠକ ଡାକିଛନ୍ତି ରାହୁଲ। ସବୁ ନିର୍ବାଚନ ମଣ୍ଡଳୀର ଇତିହାସ, କଂଗ୍ରେସର ଦକ୍ଷତା ଓ ଦୁର୍ବଳତା, ଜିତିବା ପାଇଁ ଦଳର ଟାର୍ଗେଟ୍ ଭୋଟର, ଦଳୀୟ ଭୋଟ୍ ବୃଦ୍ଧି ପାଇଁ ରଣନୀତି, କେଉଁ ନିର୍ବାଚନୀ ମୁଦ୍ଦା ନେଇ ଦଳ ମୈଦାନକୁ ଓହ୍ଲାଇବ ସେନେଇ ତଥ୍ୟ ରଖିବାକୁ କୁହାଯାଇଛି। ଏଭଳି ସ୍ଥିତିରେ ଜିଲାସ୍ତରୀୟ କମିଟି ଗଠନ ହୋଇ ନ ଥିବାବେଳେ କିଭଳି ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତିର ତଥ୍ୟ ରଖିବେ ମଙ୍ଗୁଆଳ ନିରଞ୍ଜନ ସେ ନେଇ ଉଠିଛି ପ୍ରଶ୍ନ। ଏସବୁ ଭିତରେ ଏଆଇସିସି ପ୍ରଭାରୀ ଭଳି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପିସିସି ପ୍ରଭାରୀ ନିଯୁକ୍ତ କରାଯିବାକୁ ଚାଲିଛି ଯୋଜନା।

ଆଗୁଆ ନିର୍ବାଚନକୁ ଆଖିରେ ରଖି ଏଆଇସିସି ପ୍ରସ୍ତୁତି ଆରମ୍ଭ କରିସାରିଲାଣି। ହେଲେ ସମସ୍ତଙ୍କୁ ସନ୍ତୁଷ୍ଟ କରି କେବେ ପିସିସିର ପୂରା ଟିମ୍ ଗଠନ ହୋଇପାରୁଛି, ଏବେ ତା ଉପରେ ନଜର।

Comments
Loading...