ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର

ଭୁବନେଶ୍ୱର: ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ନେଇ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ରାଜ୍ୟ ସରକାର। ପୌର ନିର୍ବାଚନରେ ୫୦% ଭିତରେ ସଂରକ୍ଷଣ ରଖିବା ନେଇ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିବେ ରାଜ୍ୟ ସରକାର। ଏହି ସୂଚନା ଦେଇଛନ୍ତି ପୌର ପ୍ରଶାସନର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ।

ଆସନ୍ତା ପୌର ନିର୍ବାଚନରେ ସିଡୁଲ୍ ଏରିଆକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ଆସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ନ ରଖିବା ପାଇଁ ହାଇକୋର୍ଟ କହିଥିଲେ। ହାଇକୋର୍ଟଙ୍କ ରାୟ ଅନୁଯାୟୀ ଓବିସି ବା ପଛୁଆ ବର୍ଗଙ୍କ ପାଇଁ ପୂର୍ବରୁ ୨୭ ପ୍ରତିଶତ ଆସନ ସଂରକ୍ଷଣ ରହୁଥିବା ବେଳେ ଏବେ ଏହା ୧୧ ପ୍ରତିଶତ ମଧ୍ୟରେ ରହିବ। ତେବେ  ୫୦ରୁ ୫୫ଟି ପୌରାଞ୍ଚଳରେ ସଂରକ୍ଷଣ ୫୦%ରୁ ଅଧିକ ହେଉଥିଲା  ଏଥିସହିତ ଆସନ୍ତା ସେପ୍ଟେମ୍ବରରେ କାର୍ଯ୍ୟକାଳ ସରୁଥିବା ୬୬ ଟି ପୌର ପରିଷଦ ପାଇଁ ଓ୍ୱାର୍ଡ ପୁନର୍ଗଠନ ଓ  ସଂରକ୍ଷଣ ପ୍ରକିୟା ଶେଷ ପର୍ଯ୍ୟାୟରେ ଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶ ଅସୁବିଧା ସୃଷ୍ଟି କରୁଥିଲା। ତେଣୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ପୂର୍ବରୁ  ୨୦୧୨ର ପଞ୍ଚାୟତ ନିର୍ବାଚନ, ୨୦୧୩ର ପୌର ନିର୍ବାଚନ ଓ ୨୦୧୭ର ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଆସନ ସଂରକ୍ଷଣ ଥିଲା। ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନରେ ସମୁଦାୟ ସଂରକ୍ଷଣ ୬୬ ପ୍ରତିଶତ ରହିଛି। କିନ୍ତୁ ଏହି ବ୍ୟବସ୍ଥା ସୁପ୍ରିମକୋର୍ଟଙ୍କ ୨୦୧୦ର ରାୟକୁ ଉଲ୍ଲଂଘନ କରୁଛି ବୋଲି ହାଇକୋର୍ଟରେ ପାଖପାଖି ୧୦୦ ଟି ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା।

Comments
Loading...