ସୁକମା ମାଓ ଆକ୍ରମଣ : ଜଣେ ଓଡ଼ିଆ ଯବାନଙ୍କ ସହ ୯ ଜଣ ସହିଦ୍

ଛତିଶଗଡ଼ : ଭୟଙ୍କର ଥିଲା ମାଓ ବର୍ବରତାର ଛାତିଥରା, ଲୋମ ଟାଙ୍କୁରା ଦୃଶ୍ୟ। ବିସ୍ଫୋରଣରେ ଖଣ୍ଡ ଖଣ୍ଡ ହୋଇଯାଇଛି ଯବାନଙ୍କ ସୁରକ୍ଷା କବଚ ମାଇନ୍ ପ୍ରୋଟେକ୍ଟେଡ୍ ଭେହିକିଲ। ଏଣେତେଣେ ବିଛାଡ଼ି ହୋଇ ପଡ଼ିଛି ଯବାନଙ୍କ ମରଦେହ, ସାଜ ସରଞ୍ଜାମ। ଯେଉଁ ଗାଡ଼ି ମାଇନ୍ ବିସ୍ଫୋରଣରୁ ସୁରକ୍ଷା ଦେବା କଥା ସେ ଗାଡ଼ିର ଏ ଅବସ୍ଥା ହିଁ ବୟାନ କରୁଛି କେତେ ଶକ୍ତିଶାଳୀ ଥିଲା ବିସ୍ଫୋରଣ।

ମିଳିଥିବା ସୂଚନା ଅନୁସାରେ ସୁକମା ଜିଲ୍ଲା କିସ୍ତାରାମ ଜଙ୍ଗଲରେ ବଡ଼ ଧରଣର ମାଓ ଗତିବିଧିର ଖବର ପାଇ ଏଇ ଅଞ୍ଚଳରେ ଅପରେସନ୍‌ରେ ଥିଲେ ସିଆର୍‌ପିଏଫ୍। ଆଜି ସକାଳେ ସିଆର୍‌ପିଏଫ୍‌ର ଗୋଟିଏ ଟିମ୍ ସହ ନକ୍ସଲଙ୍କ ମୁହାଁମୁହିଁ ହୋଇଥିଲା। ହେଲେ ସେମାନଙ୍କୁ ଭଗେଇବାରେ ସଫଳ ହୋଇଥିଲେ ସିଆର୍‌ପିଏଫ୍‌ ଟିମ୍। କିନ୍ତୁ ଏହାପରେ ଦିନ ପ୍ରାୟ ୧୨ଟା ବେଳକୁ ପୁଣି ଶକ୍ତି ସଂଚୟ କରି ସିଆର୍‌ପିଏଫ୍‌ର ଗୋଟିଏ ଟିମ୍ ଉପରେ ହମଲା କରିଦେଲେ ଶହେରୁ ଅଧିକ ମାଓବାଦୀ। ଆଇଇଡି ବ୍ଲାଷ୍ଟ କରି ଉଡ଼ାଇଦେଲେ ଯବାନ ମାନଙ୍କୁ ନେଇ ଯାଉଥିବା ମାଇନ୍ ପ୍ରୋଟେକ୍ଟେଡ ଭେହିକିଲ୍। ଏଥିରେ ଜଣେ ଓଡ଼ିଆ ଯବାନଙ୍କ ସହ ୯ ଜଣ ସହିଦ୍ ଓ ୫ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ହସ୍ପିଟାଲ୍‌କୁ ନିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ମାଓବାଦୀଙ୍କ ଏଭଳି ବର୍ବରକାଣ୍ଡର ନିନ୍ଦା କରିବା ସହ ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ମାଓ ଅପରେସନ୍‌ର ଯବାନଙ୍କ ପାଇଁ ସୁରକ୍ଷାକବଚ କୁହାଯାଉଥିବା ମାଇନ୍ ପ୍ରୋଟେକ୍ଟେଡ ଭେହିକିଲ୍ ବା ଏମ୍ପିଭି ଯେ ଆଉ ସୁରକ୍ଷିତ ନୁହେଁ, ଏହା ତାର ପ୍ରଥମ ପ୍ରମାଣ ନୁହେଁ, ୨୦୦୮  ଜୁଲାଇ ୧୬ରେ ମାଲକାନଗିରି କାଲିମେଳା ଥାନା ଅଞ୍ଚଳରେ ବି  ଲାଲବାହିନୀ ଏମିତି ଏକ ଆଣ୍ଟି ଲ୍ୟାଣ୍ଡମାଇନ୍ ଗାଡ଼ିକୁ ବିସ୍ଫୋରଣରେ  ଉଡ଼ାଇ ଦେଇଥିଲେ। ଯେଉଁଥିରେ ସହିଦ ହୋଇଥିଲେ ଓଡ଼ିଶା ପୋଲିସ୍‌ର ୧୭ ଜଣ ଯବାନ। ତେଣୁ ଏଭଳି ସ୍ଥିତିରେ ମାଓ ଅପରେସନ୍‌ରେ ବ୍ୟବହାର କରାଯାଉଥିବା ଏମ୍ପିଭିର ପ୍ରତିରୋଧୀ  କ୍ଷମତା ଓ ଏହାର ବିକଳ୍ପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

Comments
Loading...