ଏବେ ବି ଇଟାଲୀୟ ପର୍ଯ୍ୟଟକଙ୍କୁ ଭୁଲିନାହାନ୍ତି କନ୍ଧମାଳବାସୀ

ଭୁବନେଶ୍ୱର / କନ୍ଧମାଳ : ଦିନ ବଦଳିଯାଏ, ହେଲେ ରହିଯାଏ ଚିହ୍ନ। ଅତୀତ ହେଲେ ବି ଆଜି ମନେପଡ଼ନ୍ତି ସେଦିନ ମାଓବାଦୀଙ୍କ ଦ୍ୱାରା ଅପହୃତ ଦୁଇ ଇଟାଲୀୟ ବିଦେଶୀ ପର୍ଯ୍ୟଟକ ପାଓଲୋ ବାସୁସ୍କୋ ଏବଂ କ୍ଲାଉଡିଓ କୋଲାଞ୍ଜେଲୋ। କନ୍ଧମାଳରେ ଉନ୍ନୟନମୂଳକ କାମ ହେଉ କିମ୍ବା ମୌଳିକ ସୁବିଧା ସୁଯୋଗ।

ସବୁଥିରେ ସେମାନେ ବଢ଼ାଇଥିବା ସହାନୁଭୁତିର ହାତ ଆଜି ବି ସ୍ପଷ୍ଟ ବାରି ହୋଇପଡ଼ୁଛି। ତାଙ୍କ ଆର୍ଥିକ ଅନୁଦାନ ସହାୟତାରେ କନ୍ଧମାଳ ଲାମ୍ବାବାନ୍ଦା ଗାଁ ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ଖୋଳାଯାଇଛି ପୋଖରୀଟିଏ। ଆଉ ଦୂର ହୋଇଛି ଗାଁର ପିଇବା ପାଣି ସମସ୍ୟା।

ଦାରିଙ୍ଗବାଡ଼ି ଲାମ୍ବାବାନ୍ଦା ଗାଁର ସଲ୍‌ମନ୍ ପ୍ରଧାନ। ରୋଗ ଦୁଃଖରେ ପଡ଼ିଥିଲେ। ପାଖରେ ଟଙ୍କା ନଥିଲା। କିନ୍ତୁ ଅପହର୍ତ୍ତାଙ୍କ କବଳରୁ ଫେରିବା ପରେ ତାଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଥିଲେ ପାଓଲୋ ବାସୁସ୍କୋ ଏବଂ କ୍ଲାଉଡିଓ କୋଲାଞ୍ଜେଲୋ। ଏମିତି ଅନେକ କିଛି ଲୋକଙ୍କ ସୁଖଦୁଃଖରେ ଭାଗିଦାର ହୋଇ ବନ୍ଧୁ ପାଲଟି ଯାଇଛନ୍ତି ଉଭୟେ। ହେଲେ ଇତିମଧ୍ୟରେ ୫ ବର୍ଷ ବିତିଗଲାଣି। ଅପହର୍ତ୍ତାଙ୍କ କବଳରୁ ମୁକୁଳିବା ପରଠୁ ଆଉ କେବେ ଆସିନାହାଁନ୍ତି ବାସୁସ୍କୋ ଏବଂ କୋଲାଞ୍ଜେଲୋ।

୨୦୧୨, ମାର୍ଚ୍ଚ ୧୪। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳକୁ ବୁଲିବାକୁ ଆସିଥିବାବେଳେ ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ ବାସୁସ୍କୋ ଏବଂ କୋଲାଞ୍ଜେଲୋ। ଅବଶ୍ୟ ଅପହରଣର କିଛିଦିନ ପରେ ସୁରକ୍ଷିତ ଭାବେ ମୁକୁଳିଥିଲେ। ଆଉ ଅପହରଣ ପୂର୍ବରୁ ଗାଁ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଥିଲେ।

ଅବଶ୍ୟ ଅନେକ ମୌଳିକ ସୁବିଧା ଏବେ ବି ଅପହଞ୍ଚ ଲାମ୍ବାବାନ୍ଦା ଗାଁ ଲୋକଙ୍କ ପାଇଁ। ହେଲେ ଏହି ଦୁଇ ପର୍ଯ୍ୟଟକଙ୍କ ସହଯୋଗ ଏବଂ ସହାନୁଭୁତି ସମସ୍ତଙ୍କ ପାଇଁ ଅଭୁଲା ଏବଂ ଅବିସ୍ମରଣୀୟ ହୋଇ ରହିଛି।

Comments
Loading...