ପୁଣି ଲେଉଟିଲା ମହାନଦୀ ବିବାଦ

ଭୁବନେଶ୍ୱର : ମହାନଦୀକୁ ନେଇ ପୁଣି ବିବାଦ। କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲ୍ ଆସନ୍ତା ୧୬ ତାରିଖରେ ନଦୀ ବିବାଦ ନେଇ ପୂର୍ବତ୍ତର ୫ଟି ରାଜ୍ୟ ସହ ଆଲୋଚନା ପାଇଁ କଲିକତାରେ ବୈଠକ ଡାକିଛନ୍ତି। ଏହି ବୈଠକରେ ଓଡିଶା ସରକାର ଯୋଗ ଦେବେ ସତ ହେଲେ ଉଠାଇବେ ବିଭିନ୍ନ ନଦୀ ଜଳ ବିବାଦ ପ୍ରସଙ୍ଗ।

ଛଡିଶଗଡ଼ ସହ ମହାନଦୀ ଜଳ ବିବାଦ, ଇବ୍‌ର ଶାଖା ନଦୀ ମୈନୀ ଉପରେ ଛଡିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜ, ଇନ୍ଦ୍ରାବତୀ ନଦୀ ପାଣିକୁ ନେଇ ଓଡିଶା ଉପରେ ଛତିଶଗଡ଼ ଲଦୁଥିବା ଦୋଷ, ଝାଡ଼ଖଣ୍ଡ ସହିତ ଥିବା ବିବାଦ ଆଦି ପ୍ରସଙ୍ଗ ଉଠାଇବ ରାଜ୍ୟ। ତେବେ ଫୋକସରେ ରହିପାରେ ମହାନଦୀ। ଟ୍ରିବ୍ୟୁନାଲ୍ ଗଠନ ନେଇ ଘୋଷଣା ପରେ ମଧ୍ୟ ଟର୍ମ ଅଫ୍ ରେଫରେନସ୍ ଓଡିଶାକୁ ନଦେବା, ଟ୍ରିବ୍ୟୁନାଲ୍  କାର୍ଯ୍ୟ ତ୍ୱରିତ ନହେବା ପ୍ରସଙ୍ଗ ଉଠିପାରେ।

ଯଦି ଛତିଶଗଡ଼ ମହାନଦୀ ପ୍ରସଙ୍ଗ ଉଠାଏ ,ତେବେ ଓଡିଶା ମଧ୍ୟ ଏସବୁ ପ୍ରସଙ୍ଗ ଉପରେ ତଥ୍ୟ ଉପସ୍ଥାପନ କରି କାଉଣ୍ଟର କରିବ। ଏପଟେ ଏ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ତିନିଦଳ।ସେପଟେ ମହାନଦୀ ଓ ଇବର ଶାଖା ନଦୀ ଉପରେ ନିର୍ମାଣ ହେଉଥିବା ବ୍ୟାରେଜ୍‌କୁ ନେଇ ଉଭୟ କେନ୍ଦ୍ର ଓ ଛତିଶଗଡକୁ ସମାଲୋଚନା କରିଛନ୍ତି ପୂର୍ବତନ ଜଳସଂପଦ ମନ୍ତ୍ରୀ ବିଜୟ ମହାପାତ୍ର। ସେପଟେ ମହାନଦୀ ବଂଚାଅ ଆନ୍ଦୋଳନ କଲମା ଅଭିମୁଖେ ଗସ୍ତ ଆରମ୍ଭ କରିଛି। ଆସନ୍ତା ୧୫ ତାରିଖ ସୁଦ୍ଧା ଲୋକଙ୍କୁ ସଚେତନ କରିବା ସହ ମହାନଦୀ କୂଳେକୂଳେ ଯାଇ ଲୋକଙ୍କ ଦସ୍ତଖତ ସଂଗ୍ରହ କରି ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ।

ଏପଟେ ମହାନଦୀ ବିବାଦକୁ ନେଇ ୧୫ ତାରିଖରେ ବିଜେଡି ୧୫ଟି ଜିଲ୍ଲାର ଜନପ୍ରତିନିଧିମାନଙ୍କୁ ଡାକି ମହାସମ୍ମିଳନୀ କରିବାକୁ ଯାଉଛି। ଅମିତ ଶାହା ପଶ୍ଚିମ ଓଡିଶା କାର୍ଡ ଖେଳିବା ପରେ ମହାନଦୀ ଦ୍ୱାରା ପ୍ରଭାବିତ ହେଉଥିବା ୧୫ଟି ଜିଲ୍ଲାକୁ ନେଇ ଏଭଳି କାର୍ଯ୍ୟକ୍ରମ କି ବୋଲି ଚର୍ଚ୍ଚା ହେଉଛି।

Comments
Loading...