ଆନ୍ତଃରାଜ୍ୟ ନଦୀ ବିବାଦ ନେଇ ସୋମବାର ଆଞ୍ଚଳିକ ସମ୍ମିଳନୀ

ଭୁବନେଶ୍ୱର: ଆନ୍ତଃରାଜ୍ୟ ନଦୀ ବିବାଦ ଓ ଅନ୍ୟାନ୍ୟ ଜଳସମ୍ପଦ ପ୍ରସଙ୍ଗକୁ ନେଇ ସୋମବାର କୋଲକାତାରେ ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ। କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟର ପ୍ରସ୍ତାବ କ୍ରମେ ପ୍ରଥମ ଥର ଲାଗି ଓଡ଼ିଶା ସମେତ ୫ଟି ପୂର୍ବାଞ୍ଚଳ ରାଜ୍ୟଙ୍କୁ ନେଇ ଅନୁଷ୍ଠିତ ହେବାକୁ ଯାଉଛି ଏହି ଆଞ୍ଚଳିକ ସମ୍ମିଳନୀ। ଏହି ବୈଠକରେ ମହାନଦୀ ଜଳ ବିବାଦକୁ ଗୁରୁତ୍ୱ ଦେବ ଓଡ଼ିଶା। ଏଣେ ୨୨ରେ ହେବାକୁ ଥିବା ମହାନଦୀ ମହାସମ୍ମିଳନୀ ପାଇଁ ବିଜେଡି ଆଜି ରଣନୀତି ପ୍ରସ୍ତୁତ କରିଥିବା ବେଳେ ବିଜେପି କହିଛି ଟ୍ରିବ୍ୟୁନାଲ୍ ଉପରେ ଚାପ ସୃଷ୍ଟି କରିବାକୁ ଦଳ ଉଦ୍ୟମ କରୁଛି।

ଆସନ୍ତାକାଲି କୋଲକାତାରେ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲଙ୍କ ଅଧ୍ୟକ୍ଷତାରେ ପ୍ରଥମଥର ପାଇଁ ପୂର୍ବାଞ୍ଚଳର ୫ ରାଜ୍ୟକୁ ନେଇ ଏହି ଆଞ୍ଚଳିକ ସମ୍ମିଳନୀ ହେବ।  ଯେଉଁଥିରେ ଓଡ଼ିଶା, ଛତିଶଗଡ଼ ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଯୋଗ ଦେଉଛନ୍ତି। ମୁଖ୍ୟତଃ  ଏଥିରେ ଆନ୍ତଃରାଜ୍ୟ ନଦୀଜଳ ବିବାଦ ନେଇ ଆଲୋଚନା ହେବ। ଟ୍ରିବ୍ୟୁନାଲ୍ ଗଠନ ପରେ ବି ରାଜ୍ୟକୁ ଟର୍ମସ ଅଫ୍ ରେଫରେନ୍ସ ଦିଆଯାଇ ନ ଥିବାରୁ ସେଥିପାଇଁ ଓଡ଼ିଶା ଦାବି କରିବ। ମହାନଦୀ ଉପର ମୁଣ୍ଡରେ ନିର୍ମାଣ ହେଉଥିବା ନୂଆ ମୋହମେଳା ସିରପୁର ବ୍ୟାରଜ ଓ ଅନ୍ୟ ନିର୍ମାଣ କାମ ବନ୍ଦ କରିବାକୁ ଦାବି କରିବ ଓଡ଼ିଶା। ସେହିପରି ଝାଡ଼ଖଣ୍ଡ ସହିତ ଥିବା ବିଭିନ୍ନ ନଦୀ ବିବାଦ ପ୍ରସଙ୍ଗ ବି ଉଠାଇବ ରାଜ୍ୟ।

Comments
Loading...