ମେ ୩ ସୁଦ୍ଧା ଜବାବ ଦିଅ

କଟକ: ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାରେ ସିବିଆଇ ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି ହାଇକୋର୍ଟ। ମେ ମାସ ୩ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୁନ୍ଦୁଲି ଘଟଣାର ଉପଯୁକ୍ତ ଯାଞ୍ଚ ହେଉନାହିଁ ବୋଲି ଅନୁଭବ କରି ପୀଡ଼ିତାଙ୍କ ଭାଇ ଓ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାର ସିବିଆଇ ତଦନ୍ତ କରିବାକୁ ସେମାନେ କୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଉପରେ ଶୁଣାଣି କରି ନୋଟିସ୍ ଜାରି କରିଛନ୍ତି କୋର୍ଟ।

ରାଜ୍ୟ ସରକାରଙ୍କ ଗୃହ ସଚିବ, ପୋଲିସ ଡିଜି, କୋରାପୁଟ୍ ଏସ୍‌ପିଙ୍କ ସହ ସିବିଆଇ ନିର୍ଦ୍ଦେଶକଙ୍କୁ ଜାରି ହୋଇଛି ନୋଟିସ।  ଆସନ୍ତା ୩ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ବିଚାରପତି ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କ ଖଣ୍ଡପୀଠ। ଗଣଦୁଷ୍କର୍ମ ଅଭିଯୋଗ ଘଟଣାର ୬ ମାସ ଏବଂ ପୀଡ଼ିତା ଆତ୍ମହତ୍ୟା କରିବାର ଅଢ଼େଇ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏଯାଏଁ ଧରାପଡ଼ିନାହାନ୍ତି ଅଭିଯୁକ୍ତ।

ପ୍ରଥମେ ପଟାଙ୍ଗୀ ପୋଲିସ, ପରେ କ୍ରାଇମବ୍ରାଞ୍ଚ, ଏହାସହ ବିଚାର ବିଭାଗୀୟ ତଦନ୍ତ ଏବଂ ଶେଷରେ SIT ତଦନ୍ତ ସବୁକିଛି ଫେଲ୍‌ ମାରିଛି। HRPC, ରାଜ୍ୟ ମହିଳା କମିଶନ, OHRC, ଜାତୀୟ ମାନବାଧିକାର କମିଶନ ଏବଂ ଜାତୀୟ ଅନୁସୂଚିତ ଜାତି କମିଶନ ବି ତନାଘନା କରିଛନ୍ତି। କିନ୍ତୁ ଫଳ ଶୂନ। ତେବେ କୋର୍ଟଙ୍କ ନୋଟିସ୍‌ ପରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେବେ ତାହା ଆସନ୍ତା ଶୁଣାଣିରେ ସ୍ପଷ୍ଟ ହେବ। ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ କି ନାହିଁ ସେ ନେଇ ଆସନ୍ତା ୩ ତାରିଖରେ ବିସ୍ତୃତ ଶୁଣାଣି କରିବେ ହାଇକୋର୍ଟ।

Comments
Loading...