ଲଗାଣ ବର୍ଷାରେ ବେହାଲ୍ ମୁମ୍ବାଇ

ମୁମ୍ବାଇ : ଲଗାଣ ବର୍ଷାରେ ବେହାଲ ମୁମ୍ବାଇ । ଲଗାତର ଚତୁର୍ଥ ଦିନ ପାଇଁ ବର୍ଷା ଜାରି ରହିଥିବାବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଚାରିଆଡେ ପାଣି ହିଁ ପାଣି। ରାସ୍ତା ଘାଟ, ଜାତୀୟ ରଜାପଥ, ଟ୍ରେନ ଲାଇନ୍ ସବୁଠି ସମାନ ଅବସ୍ଥା । କେଉଁଠି ପାଣି ଯୋଗୁଁ ବିଚ୍ ରାସ୍ତାରେ ଗାଡି ମଟର ଅଟକି ରହିଛି ତ କେଉଁଠି ଅଣ୍ଟେ ପାଣିରେ ଲୋକେ ପାର ହେଉଛନ୍ତି। ଲଗାତର ଚାରିଦିନର ଲଗାଣ ବର୍ଷା ପରେ ଦାଦର, ଥାନେ, ହନ୍ଦମାତା, ଲୋୟର ପାନେଲ ଭଳି ଅଂଚଳରେ ବର୍ଷାର ପ୍ରଭାବ ବେଶି ଦେଖାଦେଇଛି। ରାସ୍ତା ଉପରେ ଅଣ୍ଟେ ଉଚ୍ଚର ପାଣି ଚାଲୁଥିବାରୁ ଯାନବାହାନ ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି।

ଲଗାଣ ବର୍ଷାର ପ୍ରଭାବ ମୁମ୍ବାଇର ଲାଇଫ ଲାଇନ୍ କୁହାଯାଉଥିବା ମୁମ୍ବାଇ ଲୋକାଲ୍ ଉପରେ ମଧ୍ୟ ପଡିଛି । ରେଲେଓ୍ୱ ଟ୍ରାକ୍‌ରେ ଦୁଇ ଫୁଟ ଉଚ୍ଚରେ ପାଣି ଜମି ରହିଥିବାରୁ ଅନେକ ସ୍ଥାନରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । କିଛି ସ୍ଥାନରେ ରାସ୍ତାରେ ଟ୍ରେନ୍ ଅଟକି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ପ୍ରଶାସନ ଏବଂ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯାଉଛି। ରେଲୱେର ସୂଚନା ଅନୁସାରେ ନାଲସପୋରା ଅଂଚଳରେ ପାଣି ଜମିବା ଯୋଗୁଁ ଭ୍ୟାନ୍ଦେର-ଭିରାର ମଧ୍ୟରେ ଲୋକାଲ୍ ଟ୍ରେନ୍ ଚଳାଚଳକୁ ବାତିଲ କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୨୪ଘଣ୍ଟା ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଲାଗି ରହିବ।  ମଙ୍ଗଳବାର ସକାଳ ୮ରୁ ଗୋଟାଏ ଭିତରେ ମୁମ୍ବାଇରେ ୪୯ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସହରର ଅନେକ ସ୍ଥାନରେ ଏନଡିଆରଏଫ୍ ଓ କୋଷ୍ଟ ଗାର୍ଡଙ୍କୁ ନିୟୋଜିତ କରାଯାଇଛି।ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ମୁମ୍ବାଇ ପ୍ରଶାସନ ତରଫରୁ କୁହାଯାଇଛି।

ବର୍ଷା ଯୋଗୁଁ ମୁମ୍ବାଇର ଡବାବାଲା ମଧ୍ୟ ସେମାନଙ୍କ ସେବାକୁ ମଙ୍ଗଳବାର ବନ୍ଦ କରିଦେଇଛନ୍ତି । ତଳିଆ ଅଂଚଳରେ ଥିବା ଲୋକଙ୍କୁ ଉଚ୍ଚା ଜାଗାକୁ ସ୍ଥାନାନ୍ତର କରାଯାଇଛି।

Comments
Loading...