ଟିଭିରେ କ’ଣ ଦେଖୁଛନ୍ତି ଆପଣ, ଜାଣି ପାରିବେ ସରକାର

ନୂଆଦିଲ୍ଲୀ : ଏଣିକି ଆପଣ ଘରେ ବସି ଟିଭିରେ କ’ଣ ସବୁ ଦେଖୁଛନ୍ତି ତା’ ଉପରେ କଡ଼ା ନଜର ରଖିବେ ସରକାର। ଏଥିପାଇଁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ସ୍ୟାଟେଲାଇଟ୍‌ ସର୍ଭିସ ପ୍ରୋଭାଇଡର ଦ୍ୱାରା ସେଟ୍‌ଅପ୍‌ ବକ୍ସରେ ଏକ ଚିପ୍‌ ଖଞ୍ଜିବାକୁ ଯାଉଛି। ଯାହା ସରକାରଙ୍କୁ ଆପଣ ଦେଖୁଥିବା ଚ୍ୟାନେଲ୍‌ ବିଷୟରେ ଖବର ଦେବ ଅର୍ଥାତ ଚିପ୍‌ ଦ୍ୱାରା ଟ୍ରାକିଂ କରି ସରକାର ତଥ୍ୟ ହାସଲ କରିବାକୁ ଚାହୁଁଛନ୍ତି।

ଖବର ଅନୁସାରେ ଟେଲିଭିଜନ ଉପରେ କଡ଼ା ନଜର ରଖିବାକୁ ସରକାର ଚାହୁଁଛନ୍ତି। ତେଣୁ ଏହି ନୂଆ ପ୍ରସ୍ତାବ ଉପରେ ମତାମତ ଦେବା ପାଇଁ ଏହାକୁ ଟେଲିକମ୍ ଅଥୋରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) ପାଖକୁ ପଠାଇଯାଇଛି। BARC (ବ୍ରୋଡକାଷ୍ଟିଂ ଅଡିଆନ୍ସ ରିସର୍ଚ୍ଚ କାଉନ୍‌ସିଲ୍) ଦ୍ୱାରା ଦିଆଯାଉଥିବା ତଥ୍ୟ ଉପରେ ସତର୍କ ରହି ସରକାର ଏପରି ନିଷ୍ପତ୍ତି ନେଉଥିବା କୁହାଯାଉଛି। କାରଣ ସରକାରଙ୍କୁ ଲାଗୁଛି ଯେ, BARC ଏଦିଗରେ ଏକଚାଟିଆ ଭାବେ କାର୍ଯ୍ୟ କରୁଛି। ତଥ୍ୟ କେଉଁଠି ଆଣିଲା, କେଉଁ ପଦ୍ଧତିରେ ଆଣିଲା ଏବଂ କେଉଁ ଅଞ୍ଚଳକୁ ସର୍ଭେ କରି ତଥ୍ୟ ଆଣିଲା ଏସବୁ ବିଷୟରେ କୌଣସି ସୂଚନା  ଦିଏ ନାହିଁ। BARCର ଏପର୍ଯ୍ୟନ୍ତ କୌଣସି ବିକଳ୍ପ ନଥିବାରୁ ଏପରି ହେଉଛି।

ସୂଚନା ମନ୍ତ୍ରଣାଳୟ ଅନୁସାରେ ଏହି ନୂଆ ସୁବିଧା ଲାଗୁ ହେଲେ କେଉଁ ଚ୍ୟାନେଲ୍‌କୁ କେତେ ଲୋକ ଦେଖୁଛନ୍ତି ତାହା ସ୍ପଷ୍ଟ ଜଣା ପଡ଼ିବ। ଫଳରେ ବିଜ୍ଞାପନ ଦାତା ଓ DAVP( ଡାଇରେକ୍ଟର ଅଫ୍ ଆଡଭାଟାଇଜିଂ ଆଣ୍ଡ ଭିଜୁଆଲ ପବ୍ଲିସିଟି)କୁ ନିଜର ବିଜ୍ଞାପନ ଚଳାଇବା ସହଜ ହେବ। ଏଥିସହିତ ଚ୍ୟାନେଲ୍‌ର ଲୋକପ୍ରିୟତା ମଧ୍ୟ ପ୍ରଚାର ହେବ। ଏପଟେ BARCର କହିବା କଥା ହେଲା ସେମାନେ ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍ ଅନୁସାରେ କାମ କରୁଛନ୍ତି।

BARC ନିଜର  BAR-O ମିଟର ସାହାଯ୍ୟରେ ଅଡିଆନ୍ସଙ୍କୁ ୱାଟର୍‌ମାର୍କିଂ କରି ଚ୍ୟାନେଲ୍‌ଗୁଡ଼ିକ ଠାରୁ ସିଧାସଳଖ ତଥ୍ୟ ଏକତ୍ରିତ କରିଥାଏ। କିନ୍ତୁ ଏ ବିଷୟରେ କେବୁଲ କିମ୍ବା ଡାଇରେକ୍ଟ-ଟୁ-ହୋମ୍‌ ସେବା ପ୍ରଦାନକାରୀ କିଛି ଜାଣି ପାରିନଥାନ୍ତି।

 

 

Comments
Loading...