ଯାଜପୁର ପୌରପାଳିକା ଉତ୍ସବର ମେଗା ଆୟୋଜନକୁ ନେଇ ଚର୍ଚ୍ଚା

ଯାଜପୁର  : ଆଖି ଝଲସା ଭବ୍ୟ ବିଶାଳ ମଞ୍ଚ। ବଲିଉଡ୍-ଓଲିଉଡ୍ ସେଲିବ୍ରିଟିଙ୍କ ମହା ମିଳନ। କେଉଁଦିନ ଅର୍ମାନ୍ ମଲିକ୍, ମିକା, ଅମିତ୍ କୁମାର ଓ ସାନ୍‌ଙ୍କ ଭଳି ବଲିଉଡ୍ ସିଙ୍ଗରଙ୍କ ଆକର୍ଷଣୀୟ ସୋ’ତ ,ପୁଣି କେଉଁ ସଂଧ୍ୟାରେ ସୁପ୍ରତିଷ୍ଠିତ ହାସ୍ୟ କଳାକାର ସୁଦେଶ ଓ କ୍ରିଷ୍ଣାଙ୍କ ଜବରଦସ୍ତ କମେଡି ତଡକା।

ଦେଶୀ-ବିଦେଶୀ ଡ୍ୟାନ୍ସ ଧମାକା ସାଙ୍ଗକୁ ରଙ୍ଗାରଙ୍ଗ ମନୋରଞ୍ଜନର ଫୁଆରା। ଯାଜପୁର ବାଳାଶ୍ରମ ପଡ଼ିଆରେ ଚାଲିଥିବା ପୌରପାଳିକାର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ସବୁ ସଞ୍ଜ ନେଇ ଆସୁଛି ଏମିତି ରଙ୍ଗୀନ ଅନ୍ଦାଜ। ପୌରବାସୀଙ୍କ ପାଇଁ ଜମାଣିଆ ଏଣ୍ଟରଟେନ୍‌ମେଣ୍ଟ ପ୍ୟାକ୍।

ଗତ ୨୪ ତାରିଖରେ ଉଦ୍‌ଘାଟନ ପରଠାରୁ ଆସନ୍ତାକାଲି ପର୍ଯ୍ୟନ୍ତ ଅର୍ଥାତ୍ ୯ ଦିନ ଧରି ଉତ୍ସବର ଏ ମେଗା ଆୟୋଜନ। ପ୍ରତି ସଂଧ୍ୟାରେ ସ୍ଥାନୀୟ ନେତାଙ୍କ ସହ ମନ୍ତ୍ରୀ, ବିଧାୟକଙ୍କ ଗହଳି ବି ବଢୁଛି। ହେଲେ ୧୫୦ ବର୍ଷ ପୂର୍ତ୍ତି ଆଗରୁ ଯାଜପୁର ପୌରପାଳିକାର ଏ ଉତ୍ସବର ଆୟୋଜନକୁ ନେଇ ପୂର୍ବରୁ ସମାଲୋଚନା କରୁଥିବା ବିରୋଧୀ ଏବେ ଏତେବଡ଼ ଏ ବ୍ୟୟବହୁଳ ଆୟୋଜନକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଖାସ୍ କିଛି ସ୍ଥାନୀୟ ନେତାଙ୍କ ପତିଆରା ବୃଦ୍ଧି ପାଇଁ ଏ ଉତ୍ସବ ନୁହେଁ ତ ବୋଲି ପ୍ରଶ୍ନ କରିଛନ୍ତି। ଆସନ୍ତାକାଲି ଉତ୍ସବର ଶେଷ ଦିନରେ ବଲିଉଡ୍ ସିଙ୍ଗର ସୋନୁ ନିଗମ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Comments
Loading...