ଜିଲ୍ଲାପାଳ ଓ ସରକାରଙ୍କୁ କାଠଗଡ଼ାକୁ ଟାଣିଲେ ବିରୋଧୀ

ଭୁବନେଶ୍ୱର : ଖୋଦ୍ ପୁରୀ ଜିଲ୍ଲାପାଳଙ୍କ ମୁହଁରୁ ଡୁପ୍ଲିକେଟ୍ ଚାବି ମିଳିବା ନେଇ ସୂଚନା ପରେ, ଏବେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ପ୍ରଶ୍ନ-କଣ ଡପ୍ଲିକେଟ ବି ହୋଇଛି ଦୁର୍ଲଭ ରତ୍ନଭଣ୍ଡାର ଚାବି ? ଟ୍ରେଜେରୀ ପରିବର୍ତ୍ତେ ରେକର୍ଡ ରୁମ୍‌ରୁ ବନ୍ଦ ଲଫାଫାରୁ କେମିତି ମିଳିଲା ଏ ଗୁରୁତ୍ୱପୂର୍ଣ୍ଣ ଚାବି ? ତାହେଲେ କଣ ସତରେ ହଜିଯାଇଛି ଅସଲି ଚାବି। ଏଭଳି ଅନେକ ଅସମାହିତ ପ୍ରଶ୍ନ ଭିତରେ ସିଧା ପୁରୀ ଜିଲ୍ଲାପାଳ ଓ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ବିଜେପି କହିଛି, ଏ ଚାବି ରହସ୍ୟ ଶତାବ୍ଦୀର ସବୁଠୁ ବଡ଼ ଘୋଟାଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ, ଥାର୍ଡ଼ ଫ୍ଲୋର, ଜିଲ୍ଲାପାଳ ଓ ମନ୍ଦିର ପ୍ରଶାସନ ଦାୟୀ। ସେହିପରି ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ଘଟଣା ଯେତିକି ଜଟିଳ, ଜିଲ୍ଲାପାଳଙ୍କ ଦାୟିତ୍ୱହୀନତା ତାଠୁ ଅଧିକ ସନ୍ଦେହଜନକ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ସେହିପରି କଂଗ୍ରେସ ମଧ୍ୟ ଏ ପ୍ରସଙ୍ଗରେ ଜିଲ୍ଲାପାଳ ଓ ସରକାରଙ୍କୁ ଟାର୍ଗେଟ୍ କରିଛି।

ଗୋଟିଏ ପଟେ ଡୁପ୍ଲିକେଟ୍ ରତ୍ନଭଣ୍ଡାର ଚାବିକୁ ନେଇ ବିବାଦ ତୀବ୍ର ହେଉଥିବାବେଳେ, ଆଇନମନ୍ତ୍ରୀ କିନ୍ତୁ ନିଜ ଉପରୁ ଦୋଷ ଖସାଇ ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ କୋର୍ଟକୁ ଫିଙ୍ଗିଛନ୍ତି ବଲ୍। କହିଛନ୍ତି, ଚାବିକୁ ନେଇ ବିଭିନ୍ନ ପ୍ରକାର ଦ୍ୱନ୍ଦ୍ୱ ରହିଛି, ଯାହା ତିନିମାସରେ କମିଶନଙ୍କ ତଦନ୍ତ ରିପୋର୍ଟ ଆସିଲେ ଦୂର ହେବ। ସେହିପରି ପୁରୀ ଜିଲ୍ଲାପାଳ ଆଜି ପୁଣି ପ୍ରତିକ୍ରିୟା ରଖି କହିଛନ୍ତି ତାଙ୍କ ବିରୋଧରେ ଆସୁଥିବା ସବୁ ଅଭିଯୋଗର ତଦନ୍ତ ପାଇଁ ସେ ପ୍ରସ୍ତୁତ। କାଲି ମିଳିଥିବା ବନ୍ଦ ଲଫାପା ଖୋଲା ଯାଇନାହିଁ, କମିଶନଙ୍କ ଜିମା ଦିଆଯିବ।

ଦିନକୁ ଦିନ ଅଧିକ ରହସ୍ୟଜନକ ହେଉଛି ରତ୍ନଭଣ୍ଡାର ଚାବି ବିବାଦ। ଏବେ ପୁଣି ପ୍ରଶ୍ନ ଅରିଜିନାଲ୍ ହଜିଯାଇଥିବା ବେଳେ ଯଦି ଡୁପ୍ଲିକେଟ୍ ଚାବି ଟ୍ରେଜେରୀ ବଦଳରେ ରେକର୍ଡ ରୁମ୍‌ରୁ ବାହାରିଲା, ତାହାଲେ ରତ୍ନଭଣ୍ଡାରରେ ଥିବା ଦୁର୍ଲଭ ଧନରତ୍ନ ସୁରକ୍ଷିତ ଅଛି ତ ?

Comments
Loading...