ଛତିଶଗଡ଼ର ନୂଆ ଷଡ଼ଯନ୍ତ୍ରର ଖୁଲାସା କରି ବିଧାନସଭାରେ ଗର୍ଜିଲେ ଶାସକ ବିଧାୟକ

ଭୁବନେଶ୍ୱର : କଲମାର ସବୁ ଗେଟ ବନ୍ଦ। ଉପର ମୁଣ୍ଡରେ ଭରପୁର ପାଣି ହେଲେ ତଳମୁଣ୍ଡ ଶୁଖିଲା। ଏପରି  ଚିତ୍ର ମହାନଦୀର ଓଡିଶା ଏଣ୍ଟ୍ରି ପଏଣ୍ଟ  ଝାରସୁଗୁଡା ଲଖନପୁରର ଶୁଖାସୋଢାର। ମହାନଦୀର ଏ ଶୁଖିଲା ଶଯ୍ୟାକୁ ନେଇ ବିଧାନସଭାରେ ଉଦ୍‌ବେଗ। ସମୟ ଦିନ ୧୦ ଟା ୩୦। ବାତିଲ ହେଲା ପ୍ରଶ୍ନ କାଳ। ଶାସକ ଦଳ ମୁଖ୍ୟ ସଚେତକ ଆଣିଥିବା ମହାନଦୀ ସଂପର୍କିତ ମୋସନ ଉପରେ ଆରମ୍ଭ ହେଲା ମାରାଥନ ଆଲୋଚନା।

ନୂଆ ଅଭିଯୋଗ ଥିଲା ଛତିଶଗଡ଼ର ଆଉ ଏକ ବେଆଇନ ନିର୍ମାଣ। ତଥ୍ୟ ରଖି ମନ୍ତ୍ରୀ ଓ ବିଧାୟକ ଅଭିଯୋଗ କରିଥିଲେ, ମହାନଦୀର ଉପରମୁଣ୍ଡରେ ମୋହମେଳା ସିରପୁର ବ୍ୟାରେଜ ପାଇଁ ୧୭୬ କୋଟି ଟେଣ୍ଡର ଡାକିଛନ୍ତି ଛତିଶଗଡ଼ ସରକାର। ଏହି ବେଆଇନ ନିର୍ମାଣ, ଗ୍ରୀନ୍ ଟ୍ରିବ୍ୟୁନାଲର ୨୬ ଜୁଲାଇ ଆଦେଶକୁ ଅବମାନନା କରୁଛି ବୋଲି ଦର୍ଶାଇ, ଉଭୟ କେନ୍ଦ୍ର ଜଳସଂପଦ ସଚିବ ଓ ଜଙ୍ଗଲ ପରିବେଶ ବିଭାଗର ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଜଳସଂପଦ ସଚିବ।

ସେହିପିର ମହାନଦୀ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଥିଲେ ବି ରାଜ୍ୟକୁ ଏହାର ଟର୍ମସ ଅଫ ରିଫରେସନ କାହିଁକି ଦିଆଯାଇନି ବୋଲି ପ୍ରଶ୍ନ କରିଥିଲେ ଶାସକ ବିଧାୟକ। ମୁଖ୍ୟଶାସନ ସଚିବ ନିକଟରେ ଏ ନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ବିଜେଡି ବିଧାୟକ ତଥ୍ୟ ରଖି କହିଥିଲେ ମହାନଦୀରେ ଗତବର୍ଷ ମାର୍ଚ୍ଚରେ ୪୦ ପ୍ରତିଶତ ଓ ଏପ୍ରିଲ ୬୬ ପ୍ରତିଶତ ଜଳ ପ୍ରବାହ କମିଥିଲା ଓ ଏବର୍ଷ ୭୯ ପ୍ରତିଶତ ଜଳ ପ୍ରବାହ କମିବ ବୋଲି ଅାଶଙ୍କା କରାଯାଉଛି ।

ଏପଟେ  ରାଜନୈତିକ ଉଦ୍ଦେଶ୍ୟରେ ଶାସକ ଦଳ ପ୍ରଥମ ଦିନ ଗୃହକୁ ଅଚଳ କରିଥିବା ବେଳେ, ମହାନଦୀକୁ ନେଇ ଗଠିତ ଦୁଇ ଦୁଇଟି ଗୃହ କମିଟି କାହିଁକି ବୈଠକ କରୁନି ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା। ମହାନଦୀ ଟ୍ରିବ୍ୟୁନାଲର ଟର୍ମ ଅଫ ରିଫରେନସ ରାଜ୍ୟକୁ ନ ଜଣାଇବା ପଛରେ କେନ୍ଦ୍ରର ଚାଲ୍‌ ଓ ମନ୍ଦ ଉଦ୍ଦେଶ୍ୟର ଅବତାରଣା କରି କେନ୍ଦ୍ର ଉପରେ ବି ବର୍ଷିଥିଲେ ନରସିଂହ। ତେବେ ବିଜେପି ବିଧାୟକ ରାଜ୍ୟର ସ୍ୱାର୍ଥ ପାଇଁ ଏକ ହୋଇ ଲଢିବେ ବୋଲି କହିଥିଲେ ବି ରାଜ୍ୟ ସରକାର ପ୍ରସଙ୍ଗକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରିଥିଲେ। ମୌସୁମୀ ବେଳେ ମହାନଦୀର ୫୩ ପ୍ରତିଶତ ପାଣି ସମୁଦ୍ରକୁ ଚାଲିଯାଉଥିବା ବେଳେ ରାଜ୍ୟ କାହିଁକି ତଳମୁଣ୍ଡରେ ବ୍ୟାରେଜ କରୁନି ବୋଲି ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଦନ ସିଂଦେଓ।

ପୂର୍ବରୁ ମଧ୍ୟ ମହାନଦୀ ବିବାଦକୁ ନେଇ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା  ୨- ୨ ଟି ଗୃହ କମିଟି । ରାଜ୍ୟର ସ୍ୱାର୍ଥ ପାଇଁ ସବୁ ଦଳ ଏକ ହୋଇ ଲଢିବେ ବୋଲି ସମ୍ମତି ପ୍ରକାଶ କରିଥିଲେ।

 

Comments
Loading...