ଦୁଇ ଦିନ ଧରି ଉପାସରେ ତିନି ଠାକୁର

ପୁରୀ : ଶ୍ରୀଜିଉଙ୍କ ନୀତିରେ ମହାବିଭ୍ରାଟ। ଉପବାସରେ ଜଗତରନାଥ। ଜଗମୋହନ କଟକଣା ହଟିବା ପରେ ଦର୍ଶନ ତ ମିଳୁଛି ହେଲେ ଆନନ୍ଦ ବଜାରରୁ ବିଷାଦ ମନରେ ଫେରୁଛନ୍ତି ହଜାର ହଜାର ଜଗନ୍ନାଥପ୍ରେମୀ। ଅଭାବନୀୟ ସ୍ଥିତି । ଖାଲି ଭକ୍ତ ନୁହଁନ୍ତି, ମହାପ୍ରଭୁ ବି ଚରମ ଅବହେଳାର ଶିକାର ହୋଇଛନ୍ତି।

ଗତକାଲିଠୁ ନୀତିକାନ୍ତିରେ ଦେଖାଦେଇଛି ବିଭ୍ରାଟ। ନିଇତି ଷାଠିଏ ପଉଟି ଭୋଗ ଲାଗି ହେଉଥିବା କାଳିଆ ସାଆନ୍ତ ଦୁଇଦିନ ଧରି ରହିଛନ୍ତି ଭୋକ ଉପାସରେ। ଗତକାଲି ଭଳି ଆଜି ବି ବିଳମ୍ବରେ ହୋଇଥିଲା ମଙ୍ଗଳ ଆଳତୀ ଓ ଅବକାଶ ନୀତି। ପରେ ସକାଳ ଧୂପ ଓ ଭୋଗ ମଣ୍ଡପ ନୀତି ହେବାର ଥିଲା। କିନ୍ତୁ ରୋଷଘରେ ରହିଥିବା ଶହ ଶହ ଅମୁଣିଆ ହାଣ୍ଡି କଢ଼ା ଯାଇନଥିବାରୁ ଆଗକୁ ବଢ଼ି ପାରି ନଥିଲା ରୋଷହୋମ ନୀତି। ସୁଆର ଓ ମହାସୁଆ ସେବାୟତ କ୍ଷତିପୂରଣ ଦାବିରେ ଧାରଣାରେ ବସିଥିବାରୁ ଅନ୍ୟାନ୍ୟ ନୀତିକାନ୍ତି ବି ଆଗକୁ ବଢ଼ି ପାରିନଥିଲା।

ସେପଟେ ଗତକାଲି ନଷ୍ଟ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ଅମୁଣିଆ ଭୋଗକୁ ଆଜି କୋଇଲି ବୈକୁଣ୍ଠରେ ପୋତା ଯାଇଛି। ଏପଟେ ଅମୁଣିଆ ନଷ୍ଟର ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଏମାର ମଠ ଆଗରେ ଧାରଣାରେ ବସିଛନ୍ତି ସୁଆର ମହାସୁଆର ସେବାୟତ। ବାରମ୍ବାର ଆଲୋଚନା କରି ବି ବୁଝାଇବାରେ ବିଫଳ ହୋଇଛି ପ୍ରଶାସନ। ଶ୍ରୀଜିଉଙ୍କ ନୀତିକାନ୍ତିରେ ଏଭଳି ଚରମ ବିଶୃଙ୍ଖଳାକୁ ନେଇ ଯେମିତି ହାତ ଟେକି ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ଏସବୁ ଭିତରେ ଶ୍ରୀମନ୍ଦିର ଗର୍ଭଗୃହକୁ ସମସ୍ତ ସେବାୟତଙ୍କ ପ୍ରବେଶ ଓ ସାହାଣମେଳା ଦର୍ଶନ ସମ୍ପର୍କରେ ପୁନଃବିଚାର କରିବାକୁ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର।

Comments
Loading...