୨୪ ଘଣ୍ଟା ମଧ୍ୟରେ ୩ଟି ବ୍ୟାଙ୍କ୍ ଲୁଟ୍

ଅନୁଗୁଳ : ଆଖିରୁ ନିଦ ହଜାଉଛନ୍ତି ବ୍ୟାଙ୍କ୍‌ ଲୁଟେରା। ସୁରକ୍ଷା ବ୍ୟବସ୍ଥାକୁ ଚକ୍‌ମା ଦେଇ ଲୁଟି ନେଉଛନ୍ତି ଟଙ୍କା ଓ ସୁନା। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତିନି ତିନିଟି ବ୍ୟାଙ୍କ ଲୁଟ୍। ସବୁଠୁ ଉଦ୍‌ବେଗଜନକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ। ଗତକାଲି ପୂର୍ବାହ୍ନରେ ଆନ୍ଧ୍ର ବ୍ୟାଙ୍କର ଅନୁଗୁଳ ଶାଖାରେ ପଶି ଲୁଟତରାଜ୍ ପରେ ରାତିରେ ବନ୍ତଳା ଏସ୍‌ବିଆଇ ଶାଖାରେ ଲୁଟ୍ ଉଦ୍ୟମ। ବନ୍ତଳାରେ ଷ୍ଟ୍ରଙ୍ଗରୁମ୍‌ରେ ପଶି ବାକ୍ସ ଟେକିନେବାକୁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। କିନ୍ତୁ ସାଇରନ୍ ବାଜିବାରୁ ପଣ୍ଡ ହେଲା ଯୋଜନା।

ଆନ୍ଧ୍ର ବ୍ୟାଙ୍କ୍‌ରୁ ୨୦ ଲକ୍ଷ ଟଙ୍କା ଓ ବହୁ ପରିମାଣର ସୁନା ଧରି ଦୁର୍ବୃତ୍ତ ଚମ୍ପଟ ମାରିଥିଲେ ହେଁ, ଏଯାଏ ପୋଲିସ କୌଣସି ସୁରାଗ୍ ପାଉନି। ଦୁର୍ବୃତ୍ତମାନେ ହାର୍ଡଡିସ୍କ ନେଇଯାଉଥିବାରୁ ସେମାନଙ୍କୁ ଚିହ୍ନଟ କରିବା ଏବେ ପୋଲିସ ପାଇଁ ବଡ଼ ଚାଲେଞ୍ଜ ହୋଇଛି।

ସେହିପରି ନୟାଗଡ଼ ସାରଙ୍ଗଧରପୁରର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ମଧ୍ୟ ହୋଇଛି ଲୁଟ୍‌। ସୁନାକୁ ବନ୍ଧା ପକାଇ ଋଣ ନେଇଥିବା ହିତାଧିକାରୀ ଏବେ ବ୍ୟାଙ୍କର ଦ୍ୱାରସ୍ଥ। ସେମାନଙ୍କ ଦାବି ତାଙ୍କୁ ସେମାନଙ୍କର ସୁନାକୁ ଫେରାଇ ଦିଆଯାଉ। କାରଣ ଗତକାଲି ଏହି ବ୍ୟାଙ୍କରୁ ବନ୍ଧୁକ ମୁନରେ ପ୍ରାୟ ୧ କୋଟି ଟଙ୍କାର ସୁନା ସହ ୮୦ ହଜାର ଟଙ୍କା ଲୁଟ୍ କରି ଚମ୍ପଟ୍ ମାରିଛନ୍ତି ଦୁର୍ବୃତ୍ତ। ତେବେ ଏହି ଲୁଟତରାଜ୍‌କୁ ବି ବିତିଗଲାଣି ୨୪ ଘଣ୍ଟା। ତଥାପି ପୋଲିସ ହାତ ଖାଲି।

ତେବେ ଅନୁଗୁଳ କିମ୍ବା ନୟାଗଡ଼ ନୁହେଁ। ରାଜ୍ୟର ସମ୍ବଲପୁର, କେନ୍ଦୁଝର, ମୟୂରଭଂଜ ମଧ୍ୟ ପାଲଟିଛି ବ୍ୟାଙ୍କ୍‌ ଲୁଟେରାଙ୍କ ଆଡ୍ଡା। ବିଭିନ୍ନ ସମୟରେ ସୁରକ୍ଷା ବଳୟକୁ ଭେଦ କରି ଏହି ୫ଟି ଜିଲ୍ଲାରେ ଲୁଟତରାଜ୍ ଜାରି ରଖିଛନ୍ତି ଲୁଟେରା। ତେବେ ପ୍ରଶ୍ନ ଉଠୁଛି କାହିଁକି ବାରମ୍ବାର ଘଟୁଛି ଏଭଳି ଲୁଟତରାଜ୍ ? କେଉଁଠି ରହୁଛି ଭୁଲ୍ ? ବ୍ୟାଙ୍କରେ ଲାଗିଥିବା ଆଲାର୍ମ ସିଷ୍ଟମ କିମ୍ବା ସିସିଟିଭି କାମ କରୁନି କି ? ବ୍ୟାଙ୍କକୁ ଜଗୁଥିବା ସୁରକ୍ଷାକର୍ମୀ କେତେ ଦକ୍ଷ ? ସୁରକ୍ଷା ବ୍ୟବସ୍ଥା ଢ଼ିଲା ଥିବା ବ୍ୟାଙ୍କ ଗୁଡ଼ିକ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ ?

Comments
Loading...