ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦି ଗୋପାଲ୍‌ ଯୋଶୀଙ୍କ ପ୍ରେରଣାଦାୟୀ କାହାଣୀ  

 

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦି ଗୋପାଲ୍‌ ଯୋଶୀ । ଆଜି ତାଙ୍କର ୧୫୩ତମ ଜୟନ୍ତୀ।୧୮୬୫ ମସିହା ମାର୍ଚ୍ଚ ୩୧ ତାରିଖରେ ମହାରାଷ୍ଟ୍ର ଥାନେ ଜିଲ୍ଲାର କଲ୍ୟାଣ ଅଞ୍ଚଳରେ ଆନନ୍ଦି ଗୋପାଲ୍‌ ଯୋଶୀ ଜନ୍ମ ହୋଇଥିଲେ। ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ଡାକ୍ତର, ଯିଏ ଆମେରିକାରେ ଡାକ୍ତରୀ ଡିଗ୍ରୀ ହାସଲ୍ କରିଥିଲେ। ଏଥିସହିତ ଦେଶର ପ୍ରଥମ ମହିଳା ଭାବେ ସେ ଆମେରିକା ଯାଇଥିଲେ।

ସ୍ୱାମୀଙ୍କ ପ୍ରେରଣା ପାଇ ପାଠ ପଢିଥିଲେ: ଆନନ୍ଦି ମାତ୍ର ୯ ବର୍ଷ ବୟସରେ ବିଦୁର ଗୋପାଲରାଓ ଯୋଶୀଙ୍କୁ ବିବାହ କରିଥିଲେ। ବିଦୁର ଆନନ୍ଦିଙ୍କଠାରୁ ବୟସରେ ୨୦ ବର୍ଷ ବଡ଼ ଥିଲେ। ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ହୋଇଥିବାରୁ ସ୍ତ୍ରୀ ଆନନ୍ଦିଙ୍କୁ ପାଠ ପଢ଼ିବା ପାଇଁ ପ୍ରେରିତ କଲେ। ୧୪ ବର୍ଷ ବୟସରେ ଆନନ୍ଦି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ଡାକ୍ତରୀ ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅଭାବରେ ଏଭଳି ପରିସ୍ଥିତି ଯେପରି ଆଉ ନ ହେଉ ସେଥିପାଇଁ ସେ ଚିକିତ୍ସା ବିଜ୍ଞାନ ଓ ଔଷଧ ବିଷୟରେ ଅଧ୍ୟୟନ କରିବାକୁ ଚାହିଁଲେ। ଏଥିରେ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଖୁବ୍‌ ସହଯୋଗ କଲେ।

ଆମେରିକାରେ ଅଧ୍ୟୟନ: ସ୍ୱାମୀଙ୍କ ସହଯୋଗରେ ଆନନ୍ଦି ମାତ୍ର ୧୬ ବର୍ଷ ବୟସରେ ଡାକ୍ତରୀ ପାଠ ପଢ଼ିବାକୁ ଆମେରିକା ଚାଲିଗଲେ। ସେଠାରେ ପେନ୍‌ସିଲଭାନିଆର ମହିଳା ମେଡିକାଲ୍‌ କଲେଜ୍‌ରେ ଡାକ୍ତରୀ ପାଠ ପଢ଼ିଲେ। ଏଠାରୁ ସେ ୧୮୮୬ ମସିହାରେ ଏମ୍‌ଡି ଡିଗ୍ରୀ ହାସଲ କରି ଭାରତ ଫେରିଥିଲେ। ସବୁଠାରୁ ଦୁଃଖର କଥା ,୧୮୮୭ ଫେବ୍ରୁଆରୀ ୨୬ ତାରିଖରେ ମାତ୍ର ୨୨ ବର୍ଷ ବୟସରେ ଆନନ୍ଦିଙ୍କର ମୃତ୍ୟୁ ହୋଇଥିଲା। ସେ ତାଙ୍କ ସ୍ୱପ୍ନ ସାକାର କରିବା ପୂର୍ବରୁ ଅଳ୍ପ ବୟସରୁ ହିଁ ଆରପାରିକୁ ଚାଲିଗଲେ। କମ୍‌ ବୟସରୁ ମହିଳାଙ୍କ ପାଇଁ ଆଦର୍ଶ ପାଲଟି ଥିବା ଆନନ୍ଦିଙ୍କ ଜୀବନ କାହାଣୀକୁ ନେଇ ଅନେକ ଚଳଚ୍ଚିତ୍ର ଓ ଧାରାବାହିକ ତିଆରି ହୋଇସାରିଛି। ଦୂରଦର୍ଶନରେ ମଧ୍ୟ ‘ଆନନ୍ଦି ଗୋପାଳ‘ ନାମରେ ଏକ ଧାରାବାହିକ ପ୍ରଦର୍ଶିତ ହୋଇଥିଲା।

Comments
Loading...