ଓଡ଼ିଶା କଂଗ୍ରେସ ସହପ୍ରଭାରୀ ଦାୟିତ୍ୱରୁ ହଟିଲେ ଶୁଭଙ୍କର ସରକାର: ନିଯୁକ୍ତ ହେଲେ ୪ କେନ୍ଦ୍ରୀୟ ନେତା

ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ ଆରମ୍ଭ ହୋଇଛି ନବକଳେବର। ହରିପ୍ରସାଦଙ୍କ ପରେ ଏବେ ଶୁଭଙ୍କର ସରକାରଙ୍କୁ ଓଡ଼ିଶା କଂଗ୍ରେସର ସହ ପ୍ରଭାରୀ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଓଡ଼ିଶା କଥା ବୁଝିବାକୁ  କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ଆଉ ୪ ଜଣ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି। ପ୍ରଦେଶ କଂଗ୍ରେସ କମିଟିର ନବକଳେବର ହେବ ବୋଲି ଦୁଇ ଦିନ ତଳେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଇଙ୍ଗିତ ଦେଇଥିଲେ। ତେବେ ଆଜି ଏହାର ଝଲକ ଦେଖିବାକୁ ମିଳିଛି।

ଏଣିକି ଜଣେ କି ଦୁଇ ଜଣ ନୁହଁନ୍ତି , ୫ ଜଣିଆ କେନ୍ଦ୍ରୀୟ ଟିମ୍ ବୁଝିବ ଓଡ଼ିଶା କଂଗ୍ରେସର ରାଜନୀତି ବ୍ୟାପାର। ଏଥିପାଇଁ ଦଳର ସଭାପତି ଯେଉଁ ୪ ଜଣଙ୍କୁ ଦାୟିତ୍ୱ ଦେଇଛନ୍ତି ସେମାନେ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ରୁଦ୍ର ରାଜୁ, ଶେଖ୍ ମସ୍ତାନ ୱାଲି, ଦିଲ୍ଲୀର ପୂର୍ବତନ ବିଧାୟକ ଅନିଲ କୁମାର ଚୌଧୁରୀ ଓ ଉତ୍ତରପ୍ରଦେଶର ବରିଷ୍ଠ ନେତା ଆଦିତ୍ୟ ଶର୍ମା। ରୁଦ୍ର ରାଜୁ ଓ ଶେଖ୍ ମସ୍ତାନ ଓ୍ୱାଲି ଓ ଅନୀଲ କୁମାରଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଆଦିତ୍ୟ ଶର୍ମାଙ୍କୁ ଯୁଗ୍ମ ସମ୍ପାଦକ କରାଯାଇଛି। ଏମାନେ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ସହଯୋଗ କରିବେ। ତେବେ ଦୁଇ ଜଣଙ୍କ ସ୍ଥାନରେ ୫ ଜଣିଆ ଟିମ୍‌କୁ ଦାୟିତ୍ୱ ଦିଆଯାଉଥିବାରୁ ଏଆଇସିସି  ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ଚର୍ଚ୍ଚା ହେଉଛି।

କେନ୍ଦ୍ରୀୟ ଟିମ୍‌ର ପରିବର୍ତ୍ତନ ପରେ କେବେ ପ୍ରଦେଶ କଂଗ୍ରେସର ନବକଳେବର ହେବ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଖୁବ୍ ଶୀଘ୍ର ରାଜ୍ୟ ଟିମ୍ ବଦଳିବ ବୋଲି ଗତକାଲି କହିଥିଲେ। ତେବେ ପ୍ରସାଦ ନିଜେ ବଦଳିବେ ନା ନାହିଁ ତାହା ଏବେ ବି ବଡ଼ପ୍ରଶ୍ନ।

Comments
Loading...