ରାସ୍ତା ଅଭାବରୁ ପରିବହନର ପ୍ରମୁଖ ମାଧ୍ୟମ ଖଚର

ମାଲକାନଗିରି: ଗ୍ରାମାଞ୍ଚଳର ବିକାଶ ପାଇଁ ତିଆରି ହେଉଛି ଫର୍ଦ୍ଦ ଫର୍ଦ୍ଦର ଯୋଜନା। ହେଲେ ବାସ୍ତବରେ ବିକାଶ ଗାଁକୁ ଛୁଉଁଛି ତ ? ସତରେ କଣ ବଦଳିଯାଉଛି ଗାଁ ଲୋକଙ୍କ ଭାଗ୍ୟ? ଆଜି ବି ଏମିତି କିଛି ଚିତ୍ର ଅଛି, ଯାହା ଦେଖିଲେ ଆପଣ କହିବେ, ଯୋଜନାର ବାସ୍ତବ ରୂପ କ’ଣ। କାରଣ ରାସ୍ତା ଖଣ୍ଡେ ନାହିଁ ବୋଲି ବର୍ଷ ବର୍ଷ ଧରି ମାଲକାନଗିରି ଜିଲ୍ଲା ରାଲେଗାଡ଼ା ଏବଂ ଧୂଳିପୁଟ ପଞ୍ଚାୟତର ଲୋକଙ୍କର ଖଚର ହିଁ ସାହାରା ପାଲଟିଛି। ଖାଉଟି ସାମଗ୍ରୀ ହେଉ କି ରୋଗଦୁଃଖ, ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାଥୀ ଏଠି ଖଚର।vlcsnap-error369

ଆବଡ଼ା ଖାବଡ଼ା ରାସ୍ତାରେ ଏଠି ଚାଲେ ମାଲ୍‌ ପରିବହନ। ହେଲେ ଘୋଡ଼ା ନୁହେଁ, ଖଚର ହିଁ ସାଜେ ଏହି ପରିବହନ ମୁଖ୍ୟ ମାଧ୍ୟମ। ଏମିତିକି ଯେତେବେଳେ ଏଠିକାର ଲୋକମାନେ ଖଚରରେ ମାଲ୍‌ ନିଅନ୍ତି, ଉତ୍ତର ଭାରତର ପାର୍ବତ୍ୟାଞ୍ଚଳର ଭ୍ରମ ସୃଷ୍ଟି କରେ ଏହି ଦୃଶ୍ୟ। ସେହିପରି ଭଲ ରାସ୍ତା ଖଣ୍ଡେ ନଥିବାରୁ ୪୦ରୁ ୫୦ କିଲୋମିଟର ଦୂରକୁ ଖଚରରେ ଆସି ପିଡିଏସ୍ ସାମଗ୍ରୀ ନିଅନ୍ତି ରାଲେଗାଡ଼ା ଏବଂ ଧୂଳିପୁଟ ପଞ୍ଚାୟତର ଲୋକ। କିଏ ନିଜର ଖଚର ଧରି ଆସନ୍ତି ତ ଆଉ କିଏ ୩ ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଭଡ଼ା ଦେଇ ଖଚରରେ ସାମଗ୍ରୀ ନିଅନ୍ତି।vlcsnap-error534

ରାଲେଗାଡ଼ା ଏବଂ ଧୂଳିପୁଟ ପଞ୍ଚାୟତରେ ବସବାସ କରନ୍ତି ପ୍ରାୟ ୭ ହଜାର ଲୋକ। ଜିଲ୍ଳା ମହକୁମା ତ ଦୂରର କଥା ପଞ୍ଚାୟତକୁ ଆସିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ଲଗାଣ ବର୍ଷା ହେଲେ ଦିନ ଦିନ ଧରି ବିଛିନ୍ନ ହୋଇପଡେ ଏହି ଅନ୍ଧାରୀ ଇଲାକା। ରୋଗଦୁଃଖ ହେଲେ କଥା ସରିଲା। ଦୁର୍ଗମ ଏବଂ ମାଓ ପ୍ରବଣ ଇଲାକା ହୋଇଥିବାରୁ ବିକାଶଠାରୁ ବହୁ ଦୂରରେ ଉଭୟ ପଞ୍ଚାୟତ। ତେବେ ସବୁ ଜାଣି ଜାଣି ଅଜଣା ଥିବା ଜିଲ୍ଲା ପ୍ରଶାସନ ଏବେ କହୁଛି, ଗୁରୁପ୍ରିୟା ହେଲେ ଦୁଃଖ ଯିବ।

(ମାଲକାନଗିରିରୁ ଜିତେନ୍ଦ୍ର ବେଉରା ଓ ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନଙ୍କ ରିପୋର୍ଟ)

Comments
Loading...