ମିଟିଂକୁ ବିଳମ୍ବରେ ଆସିବାରୁ ଉଠବସ ହେଲେ ଆରଆଇ

କେନ୍ଦ୍ରାପଡ଼ା: ରାଜନଗର ତହସିଲ ମିଟିଂରେ ଏଡିଏମ ଆରଇଙ୍କୁ ଉଠାବସା କରାଇବା ଅଭିଯୋଗ ନେଇ ଆରଆଇ ସଂଘ ଜିଲ୍ଳାପାଳଙ୍କ ନିକଟରେ ଫେରାଦ ହୋଇଛି। ଏଡିଏମଙ୍କୁ ବଦଳି ସହ ଭବିଷ୍ୟତରେ ଯେମିତି ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେ ନେଇ ସଂଘ  ପକ୍ଷରୁ ଜିଲ୍ଳାପାଳଙ୍କ ନିକଟରେ ଦାବି କରାଯାଇଛି।

କାଳବୈଶାଖୀରେ ଜଣଙ୍କ ମୃତ୍ୟୁ ନେଇ ଗତକାଲି ରାଜନଗର ତହସିଲ ଅଫିସରେ ଏଡିଏମ ବସନ୍ତ ରାଉତ ସମୀକ୍ଷା କରୁଥିଲେ। ଏହି ମିଟିଂରେ ଦୁଇ ଜଣ ଆରଆଇ ବିଳମ୍ବରେ ଆସି ଯୋଗ ଦେଇଥିଲେ। ଏଥିରେ ରାଗିଯାଇ ଏଡିଏମ ସେମାନଙ୍କୁ ଉଠାବସା କରାଇଥିବା ଅଭିଯୋଗ ହୋଇଛି।

ଏହାର ପ୍ରତିବାଦ କରି ଏଡିଏମଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଳାପାଳ ପାଖରେ ନିକଟରେ ଫେରାଦ ହୋଇଛି ଜିଲ୍ଲା ଆରଆଇ ସଂଘ। ଦୁଇ ଦିନ ମଧ୍ୟରେ ଏଡିଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆରଆଇ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ସେପଟେ ଆରଆଇଙ୍କୁ ଉଠାବସା କରିଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି ଏଡିଏମ୍।

Comments
Loading...