ହୀରା ବ୍ୟବସାୟୀଙ୍କ ୧୨ବର୍ଷର ପୁଅ ହେଲେ ସନ୍ୟାସୀ

ସୁରତ : ଯେଉଁ ବୟସରେ ପିଲାମାନେ ଖେଳ ଓ ଖେଳନା ବିଷୟରେ ଭାବିଥାନ୍ତି, ସାଙ୍ଗସାଥି ମେଳରେ ଦିନ ବିତାନ୍ତି, ସେହି ଚପଳ ବୟସରେ ଯଦି ପିଲାଟିଏ ସନ୍ୟାସୀ ହେବାର ନିଷ୍ପତ୍ତି ନିଏ, ଏହା ସମସ୍ତଙ୍କ ପାଇଁ ନିଶ୍ଚୟ ଆଶ୍ଚର୍ଯ୍ୟର କଥା ହେବ। ଏବେ ଏମିତି ଏକ ଘଟଣାକୁ ନେଇ  ଖୁବ୍‌ ଚର୍ଚ୍ଚା।

ସୁରତର ହୀରା ବ୍ୟବସାୟୀ ଦୀପେସ ଶାହଙ୍କ ୧୨ ବର୍ଷର ପୁଅ ଭବ୍ୟ ଶାହ। ୭ମ ଶ୍ରେଣୀରେ ପାଠପଢ଼ୁଥିବା ଭବ୍ୟ ବାଛି ନେଇଛନ୍ତି ସନ୍ନ୍ୟାସୀର ପଥ। ବାପାଙ୍କ ଅମାପ ଧନ ସମ୍ପତ୍ତି, ଚାକଚକ୍ୟ ଓ ଦାମିକିଆ ସୋଫାର କୋମଳ ଆସ୍ତରଣକୁ ଏଡ଼ାଇ ବାପାରିଛନ୍ତି ଈଶ୍ୱରଙ୍କ ସନ୍ଧାନରେ । ଖେଳକୁଦ ବୟସରେ ସାଜିଛନ୍ତି ଜୈନ ଭିକ୍ଷୁ।

ଏଥିପାଇଁ ପୂରା ସୁରତ ସହରରେ ତାଙ୍କର ଶୋଭାଯାତ୍ରା କରାଯାଇଛି। କିନ୍ତୁ ସନ୍ନ୍ୟାସୀଙ୍କ ଶୋଭାଯାତ୍ରା ଏହାଥିଲା ସମ୍ପୂର୍ଣ୍ଣ ଭିନ୍ନ। କାରଣ ଏହି ଶୋଭାଯାତ୍ରାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ବିଳାସମୟ ଫରାରୀ। ଏହି କାର୍‌ରେ ହୋଇଥିଲା ଶୋଭାଯାତ୍ରା। ଭବ୍ୟଙ୍କର ଦାମୀ କାର୍‌ ଓ ପର୍ଫ୍ୟୁମ୍‌ ପ୍ରତି ଭାରି ସୌକ ଥିଲା। ସେଥିପାଇଁ ଦୀପେସ୍‌ ତାଙ୍କ ପୁଅର ଇଚ୍ଛା ପୂରା କରିବା ପାଇଁ ବନ୍ଧୁ ଜୟେସ୍‌ ଦିସାଇଙ୍କଠାରୁ ତାଙ୍କ ଫରାରୀ କାର୍‌ ଆଣି ପୁଅର ଶୋଭାଯାତ୍ରା କରାଇଥିଲେ।

ଏପ୍ରିଲ୍ ୧୨ ତାରିଖରେ ଭବ୍ୟଙ୍କ ଦୀକ୍ଷା ପୂରଣ ହୋଇଯିବ। ସବୁ ସମ୍ପର୍କ ତୁଟାଇ ଚାଲିଯିବେ ଆପଣା ପଥରେ। ୪ ବର୍ଷ ପୂର୍ବେ ଭବ୍ୟଙ୍କ ବଡ଼ ଭଉଣୀ ୧୨ ବର୍ଷ ବୟସରେ ଦୀକ୍ଷା ଗ୍ରହଣ କରିଥିଲେ। ଏବେ ସାନ ଭାଇ ଭବ୍ୟ ବାଛି ନେଇଛନ୍ତି ସେବି ରାସ୍ତା।

 

 

Comments
Loading...