ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨-୧ରେ ସିରିଜ ବିଜୟୀ

ବ୍ରିଷ୍ଟଲ: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ ଜିତି ୨-୧ରେ ସିରିଜ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ବ୍ରିଷ୍ଟଲରେ ଖେଳା ଯାଇଥିବା ଶେଷ ଟି- ଟ୍ୱେଣ୍ଟି ମ୍ୟାଚରେ ଭାରତ ସାତ ଓ୍ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ୧୯୯ ରନ୍‌ର ବିଜୟ ଲକ୍ଷ୍ୟକୁ ଦଳ ୮ଟି ବଲ୍ ବାକି ଥାଇ ମାତ୍ର ୩ ଓ୍ୱିକେଟ ବିନିମୟରେ ହାସଲ କରିନେଇଛି।

ରୋହିତ ଶର୍ମା ୫୬ ବଲ୍‌ରୁ ଧୂଆଁଧାର ନଟ୍ ଆଉଟ୍ ୧୦୦ ରନ୍ କରିଛନ୍ତି। ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି। କୋହଲି ୨୯ଟି ବଲ୍‌ରୁ ୪୩ ରନ୍ ଓ ପାଣ୍ଡ୍ୟା ୧୪ ବଲ୍‌ରୁ ବିସ୍ଫୋରକ ୩୩ ରନ୍ କରିଥିଲେ। ଟସ୍ ହାରିବା ପରେ ଇଂଲଣ୍ଡ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ ହରାଇ ୧୯୮ ରନ୍ କରିଥିଲା। ୧୯୯ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ୨୧ ରନ୍‌ରେ ତା’ର ପ୍ରଥମ ୱିକେଟ୍ ହରାଇଥିଲା । ଶିଖର ଧାୱନ ମାତ୍ର ୫ ରନ୍‌ କରି ପ୍ୟାଭିଲିୟନ୍‌କୁ ଫେରିଥିଲେ ।

ଅନ୍ୟ ପକ୍ଷରେ ମ୍ୟାଚ୍‌ରେ ଭାରତୀୟ ଦଳକୁ ପ୍ରାରମ୍ଭିକ ବୋଲିଂ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଥିଲା। ୭୩ ରନ୍‌ ପର୍ଯ୍ୟନ୍ତ ଭାରତ ଗୋଟିଏ ବି ୱିକେଟ୍‌ ନେବାରେ ସଫଳ ହୋଇ ନ ଥିଲା। ୮ ଓଭର ଚାଲିଥିବା ବେଳେ ସିଦ୍ଧାର୍ଥ କୌଲ ଜୋସ୍ ବଟଲରଙ୍କ ୱିକେଟ୍‌ ନେଇଥିଲେ। ସେହିଭଳି ଦୀପକ ଚହର୍ ଜେସନ୍‌ ରୟଙ୍କ ୱିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪ ୱିକେଟ୍‌ ନେଇଥିଲେ।

ସିରିଜରେ ଟିମ୍ ଇଣ୍ଡିଆ ପ୍ରଥମ ଟି- ଟ୍ୱେଣ୍ଟି ମ୍ୟାଚ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ବିଜୟୀ ହୋଇଥିଲା ।

 

Comments
Loading...