ସାମ୍ନାସାମ୍ନି ହେବେ ଫ୍ରାନ୍ସ ଓ ବେଲଜିୟମ

ଭୁବନେଶ୍ୱର : ଫୁଟ୍‌ବଲ ବିଶ୍ୱକପ୍ ଫାଇନାଲ ଟିକଟ୍ ପାଇଁ ଟକ୍କର। ସାମ୍ନାସାମ୍ନି ହେବେ ଦୁଇ ପଡ଼ୋଶୀ ରାଷ୍ଟ୍ର ବେଲଜିୟମ ଓ ଫ୍ରାନ୍ସ। ସୀମା ଗୋଟିଏ ଭାଷା ବି ଗୋଟିଏ। ତେବେ ଲଢେଇ ହେବ ଜୋରଦାର। ଫ୍ରାନ୍ସର ଆକ୍ରମଣାତ୍ମକ ଷ୍ଟାଇଲକୁ କାଉଣ୍ଟର କରିବ ବେଲଜିୟମର ଶକ୍ତିଶାଳୀ ଫରଓ୍ୱାର୍ଡ ଲାଇନ । ହାଜାର୍ଡ, ଲୁକାକୋ, କେଭିନ୍ ଡି ବ୍ରୁନୋଙ୍କ ଯାଦୁ ଚାଲିଲେ ସେମାନଙ୍କୁ ନିୟନ୍ତ୍ରଣ କରିବା ଫ୍ରାନ୍ସ ପକ୍ଷେ କଷ୍ଟସାଧ୍ୟ ହୋଇପାରେ।

ତେବେ ଆଣ୍ଟୋନିଓ ଗ୍ରିଜ୍‌ମ୍ୟାନ, କଲିଏନ୍ ମ୍ବାପେ, ପୋଗବା ଏବଂ କାଣ୍ଟେଙ୍କୁ ନେଇ ଫ୍ରାନ୍ସର ଫରଓ୍ୱାର୍ଡ ଲାଇନ ଅପ୍ ବି ବେଶ ଶକ୍ତିଶାଳୀ। ଜଣକୁ ଟ୍ରଫି ଜିତିବାର ଭୋକ୍ ତ, ଆଉ ଜଣକୁ ଟ୍ରଫି ଫେରାଇ ଆଣିବାର ଅଭିଳାଷ। ତେବେ ୨୦୧୪ରୁ ବେଲଜିୟମର ଯାହା ରେକର୍ଡ ରହିଛି  ଦଳ ଆଉ ଏକ ବିପର୍ଯୟ ଘଟାଇବ ବୋଲି ଆଶା କରାଯାଉଛି। ଗ୍ରୁପ ପର୍ଯ୍ୟାୟରେ ପାନାମା, ପେରୁ ଏବଂ ଡେନମାର୍କକୁ ମାତ୍ ଦେଇଥିବା ବେଲଜିୟମ ପ୍ରିକ୍ୱାର୍ଟରରେ ବ୍ରାଜିଲ ଭଳି ସୁପରପାଓ୍ୱାରକୁ  ବିଦା କରିଥିଲା। ତେଣୁ ପ୍ରଥମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିବାର ମୌକା ଛାଡିବ ନାହିଁ ଦଳ।

ତେବେ ସେମିଫାଇନାଲରେ ପହଁଚିଥିବା ୪ଟି ଟିମରୁ ସବୁଠାରୁ ଶକ୍ତିଶାଳୀ ମନେ ହେଉଛି ଫ୍ରାନ୍ସ। ଖାସ୍ କରି ନକ୍ ଆଉଟ୍‌ରେ ଆର୍ଜେଣ୍ଟିନା ବିପକ୍ଷରେ ଦଳ ଯେଉଁ ଜବରଦସ୍ତ ଖେଳ ଦେଖାଇଥିଲା। ଆଜି ସେମିତି ଖେଳିଳେ ଫ୍ରାନସ ଫାଇନାଲ ପାଇଁ ଟିକଟ ପକ୍କା କରିପାରିବ। ଉଭୟ ଶକ୍ତିଶାଳୀ, ଉଭୟ ଧୁରନ୍ଧର। ତେବେ ୯୦ ମିନିଟର ଟକ୍କର । କିଏ କାହାକୁ ଦେଉଛି ଚକମା, ଶେଷ ମୂହୂର୍ତ୍ତ ଯାଏ ଖେଳପ୍ରେମୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ।

Comments
Loading...