ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଯାପିତ: ୨୬ ସ୍ୱର୍ଣ୍ଣ ସହ ମୋଟ ୬୬ ପଦକ ପାଇ ଅଭିଯାନ ଶେଷ କଲା ଭାରତ

ଗୋଲ୍ଡକୋଷ୍ଟ: ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ୧୨ ଦିନ ଧରି ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଛି। ଆଜି ଉଦ୍‌ଯାପନୀ ଦିବସରେ ଗୋଲ୍ଡକୋଷ୍ଟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ଆଜିର କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିୟା ସଂସ୍କୃତିର ଝଲକ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା। ରଙ୍ଗାରଙ୍ଗ ଆଲୋକ ସଜା ସାଙ୍ଗକୁ ଆକର୍ଷଣୀୟ ଆତସବାଜିରେ ରଙ୍ଗୀନ ହୋଇ ଉଠିଥିଲା ଗୋଲ୍ଚକୋଷ୍ଟର ଆକାଶ। ଉଦ୍‌ଯାପନୀ ଉତ୍ସବରେ ଭାରତ ପାଇଁ ତ୍ରିରଙ୍ଗା ଧରିଥିଲେ ସ୍ୱର୍ଣ୍ଣ ପଦକ ବିଜୟିନୀ ବକ୍ସର ମ୍ୟାରି କମ୍। ୨୦୨୨ରେ ଇଂଲଣ୍ଡର ବର୍ମିଂହାମରେ ପରବର୍ତ୍ତି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଗୋଟିଏ ସ୍ୱର୍ଣ୍ଣ ସମେତ ୭ଟି ପଦକ ଜିତିଛି ଭାରତ। ବ୍ୟାଡ୍‌ମିଣ୍ଟନ ମହିଳା ସିଙ୍ଗଲସରେ ସ୍ୱେଦେଶର ପି.ଭି. ସିନ୍ଧୁଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ସାଇନା ନେହଓ୍ୱାଲ। ଫଳରେ ଏହି ଇଭେଣ୍ଟରେ ଭାରତ ଉଭୟ ସ୍ୱର୍ଣ୍ଣ ଓ ରୌପ୍ୟ ଉଭୟ ପଦକ ହାସଲ କରିଛି। ତେବେ ପୁରୁଷ ବ୍ୟାଡ୍‌ମିଣ୍ଟନ ସିଙ୍ଗଲ୍ସରେ ସ୍ୱର୍ଣ୍ଣରୁ ବଞ୍ଚିତ ହୋଇଛନ୍ତି କାଦମ୍ବି ଶ୍ରୀକାନ୍ତ। ତେବେ ୨୬ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୨୦ଟି ବ୍ରୋଞ୍ଜ ସହ ମୋଟ ୬୬ଟି ପଦକ ପାଇ ଭାରତ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଏଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୁଟିଂ, ଭାରୋତ୍ତଳନ, ଟେବୁଲ ଟେନିସ ଓ ବ୍ୟାଡ୍‌ମିଣ୍ଟନରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉତ୍ସାହଜନକ ରହିଛି। କିନ୍ତୁ ଉଭୟ ପୁରୁଷ ଓ ମହିଳା ହକି ଦଳ ଦେଶବାସୀଙ୍କୁ ନିରାଶ କରିଛନ୍ତି।

୨୦୧୦ପରେ ଏହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ। ଗତ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ  ଭାରତ ୬୪ଟି ପଦକ ହାସଲ କରିଥିବା ବେଳେ ଏଥର ତାକୁ ଅତିକ୍ରମ କରିବାରେ ସଫଳ ହୋଇଛି। ୨୦୦୨ ମାଞ୍ଚେଷ୍ଟରରେ ଭାରତ ୩୦ଟି ସ୍ୱର୍ଣ୍ଣ ସହ ୬୯ଟି ପଦକ ଜିତିଥିଲେ ମଧ୍ୟ ଚତୁର୍ଥ ସ୍ଥାନରେ ରହିଥିଲା ଏଥର କିନ୍ତୁ ଭାରତକୁ ସର୍ବାଧିକ ୭ଟି ସ୍ୱର୍ଣ୍ଣ ସୁଟିଂରୁ ମିଳିଛି। ସୁଟରମାନେ ସର୍ବାଧିକ ୧୬ଟି ପଦକ ହାତେଇଛନ୍ତି। ଏହାପଛରେ କୁସ୍ତି ଓ ଭାରୋତ୍ତଳନରେ ଭାରତକୁ ଅଧିକ ପଦକ ମିଳିଛି। ସେହିପରି ବ୍ୟାଡ୍‌ମିଣ୍ଟନରୁ ୬ଟି ପଦକ ଆସିଥିବା ବେଳେ ଟେବୁଲ ଟେନିସରୁ ଆସିଛି ୮ଟି ପଦକ।  ତେବେ ତଳିତ ବର୍ଷ ଭାରତୀୟ ମହିଳା ଖେଳାଳିଙ୍କ ଉତ୍ତମ ପ୍ରଦର୍ଶନ ଦେଖିବାକୁ ମିଳିଛି।

Comments
Loading...