• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଓଡ଼ିଶା ଉପକୂଳ ନିକଟତର ହେଉଛି ଘୂର୍ଣ୍ଣିବଳୟ

  • ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପାଖଉଛି

  • ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

  • ଆଜି ପାଇଁ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର : ଓଡ଼ିଶା ଉପକୂଳ ନିକଟତର ହେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଆସନ୍ତା କିଛି ଘଣ୍ଟା ଭିତରେ ଏହା ବଙ୍ଗୋପ ସାଗରର ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା,କଟକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୁରଭଞ୍ଜ,କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ ।

ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ସତର୍କ ରହିବାକୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଆଜି ଏବଂ ୨୦ ତାରିଖ ଦୁଇ ଦିନ ପାଇଁ ରାଜ୍ୟର ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ମହାନଦୀରେ ଜଳସ୍ତର କମିବା ପରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଛି । କେବଳ ଛୋଟରୁ ସାମାନ୍ୟ ଧରଣର ବନ୍ୟା ହୋଇପାରେ ବୋଲି ଜଳସଂପଦ ବିଭାଗ ସୂଚନା ଦେଇଛି । ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍ ବନ୍ଦ ହେବା ପରେ ଏବେ ୧୨ ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଉପରମୁଣ୍ଡରେ ବର୍ଷା କମିଥିବାରୁ ଜଳ ଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କମିଛି । ଫଳରେ ଏବେ ୧୨ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି ରହିଛି । କଟକର ନରାଜ ନିକଟରେ ମହାନଦୀର ଜଳସ୍ତର ହ୍ରାସ ପାଉଛି । ଗତରାତି ୯ଟା ବେଳେ ନରାଜ ନିକଟରେ ଜଳସ୍ତର ଥିଲା ୨୫.୯୭ ମିଟର । ତେବେ ନରାଜ ନିକଟରେ ମହାନଦୀର ସତର୍କ ସଂକେତ ୨୫.୪୧ ମିଟର । ସେହିପରି ବ୍ରାହ୍ମଣୀ, ବୈତରଣୀ ଏବଂ ସୁବର୍ଣ୍ଣରେଖାରେ ବି ଜଳସ୍ତର କମୁଛି ।

ସେହିପରି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଖପରପଦା ଗାଁରେ ଲଘୁଚାପ ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ l ଗାଁ ଭିତରେ ଏବେ ଆଣ୍ଠୁଏ ପାଣି ରହିଛି l ପାଣି ଧୀରେ ଧୀରେ କମିବା ବେଳକୁ ପୁଣି ବର୍ଷା ଲାଗି ରହୁଛି । ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ l ଘରୁ ବାହାରକୁ ଯିବାକୁ ହେଲେ ଆଣ୍ଠୁଏ ଆଣ୍ଠୁଏ ପାଣି ଭିତରେ ଯିବାକୁ ପଡୁଛି l କିଛି ଗାଁ ଲୋକେ ରାସ୍ତା ଉପରେ ଜାଲ ପକାଇ ମାଛ ଧରୁଛନ୍ତି l ଆଗକୁ ପୁଣି ବର୍ଷା ଥିବା ବେଳେ ଜଳବନ୍ଦୀରେ ଥିବା ଗାଁଲୋକ କ୍ୟାମେରା ଆଗରେ ସେମାନଙ୍କ ଦୁଃଖ ବଖାଣିଛନ୍ତି l