• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ । ମହାରାଷ୍ଟ୍ର ଔରଙ୍ଗାବାଦର ଚାଳିଶିଗାଁ ଅଂଚଳରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଭୂସ୍ଖଳନ ଫଳରେ ରାସ୍ତା ଜାମ୍‌ । ଯାତାୟତ ସମ୍ପୂର୍ଣ୍ଣ ଠପ୍‌ । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମଟର ଅଟକି ରହିଛି । ସ୍ଥାନୀୟ ପ୍ରଶାସନ ତରଫରୁ ଜେସିବି ସାହାଯ୍ୟରେ ରାସ୍ତା ସଫା କରାଯାଉଛି । ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଲୋକେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।

ସେପଟେ ମୁମ୍ବାଇ ସହରରେ ମଧ୍ୟ ଭୂସ୍ଖଳନ ଫଳରେ ବ୍ୟାପକ କ୍ଷତି ହୋଇଛି । ମୁମ୍ବାଇର ଆସଲଫା ଅଂଚଳରେ ଗତକାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ହୋଇଛି । ଏଥିରେ ୬ଟି ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ଫସି ରହିଥିବା ଲୋକଙ୍କୁ ସ୍ଥାନୀୟ ପୋଲିସ ଏବଂ ରେସ୍‌କ୍ୟୁ ଟିମ୍‌ର ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇଛି । ଦୁର୍ଘଟଣାରେ ୨ଜଣ ଲୋକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ରାଜଓ୍ୱାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭଙ୍ଗା ଘର ଭିତରେ କିଛି ଲୋକେ ଫସିରହିଥିବା ଆଶଙ୍କା କରି ସ୍ଥାନୀୟ ପ୍ରଶାସନ ଜେସିବି ସାହାଯ୍ୟରେ କଂକ୍ରିଟ୍ କାଢି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଏଥିରେ ୨ଜଣ ଗୁରୁତରଙ୍କୁ ଛାଡି ଅନ୍ୟ କାହାର କିଛି କ୍ଷତି ହୋଇନାହିଁ ବୋଲି ଜଣାପଡ଼ିଛି ।

ସେପଟେ ଲଗାଣ ବର୍ଷାରେ ରାଜସ୍ଥାନ ଗୋରଖପୁରର ନିକଟବର୍ତ୍ତୀ ନଦୀ ଗୁଡିକର ଜଳସ୍ତର ବଢିବାରେ ଲାଗିଛି । ରୋହଣୀ, ରାପ୍ତି ଓ ଘାଘରା ନଦୀର ଭୟଙ୍କର ରୂପ ଦେଖିବାକୁ ମିଳୁଛି । ଫଳରେ ରାଜସ୍ଥାନର ଗୋରଖପୁର ଜିଲ୍ଲାର ୧୭୧ ଟି ଗାଁକୁ ବନ୍ୟା ଜଳ ମାଡ଼ି ଆସିଛି । ୨୮ ହଜାର ହେକ୍ଟେର ଜମି ଜଳମଗ୍ନ ହୋଇ ରହିଛି । ଲକ୍ଷ ଲକ୍ଷ ଲୋକ ବନ୍ୟାର ବିଭୀଶିକାରେ ଶିକାର ହୋଇଛନ୍ତି । 

ଲୋକଙ୍କ ସୁରକ୍ଷା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି । ପ୍ରତିଦିନ ଡ୍ୟାମର ମରାମତି କାର୍ଯ୍ୟ ଚାଲୁଥିବା ବେଳେ ବନ୍ୟା ପ୍ରଭାବିତ ଗାଁ ମାନଙ୍କରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଉଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରତିଦିନ ୧୪ ହଜାରରୁ ଅଧିକ ଖାଦ୍ୟ ପୁଡିଆର ବଣ୍ଟନ କରାଯାଉଛି । ସେହିପରି ଗୃହପାଳିତ ପଶୁମାନଙ୍କ ପାଇଁ ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଛି ।