• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଥିବା ଟିମ୍‌ ଇଣ୍ଡିଆର ଆଉ ୨ ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଲ୍‌ ରାଉଣ୍ଡର କୃନାଲ୍ ପାଣ୍ଡ୍ୟାଙ୍କ ପରେ ସ୍ପିନର ୟୁଜଭେନ୍ଦ୍ର ଚହଲ୍ ଓ କ୍ରିଷ୍ଣାପ୍ପା ଗୌତମଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଉଭୟ ଚହଲ୍ ଓ କ୍ରିଷ୍ଣାପ୍ପା, କୃନାଲ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ମିଳିଛି। ଜୁଲାଇ ୨୭ରେ କୃନାଲ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। 

ଚହଲ୍ ଓ କ୍ରିଷ୍ଣାପ୍ପାଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ପୃଥ୍ୱୀ ଶ’, ମନୀଶ ପାଣ୍ଡେ ଓ ଇଶାନ କିଶନ ମଧ୍ୟ କୃନାଲ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ। ତେବେ ଆଶ୍ୱିସ୍ତକର କଥା, ଏମାନଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା। କୃନାଲ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଥିଲା। ଜୁଲାଇ ୨୭ରେ ଏହି ମ୍ୟାଚ୍‌ ହେବାର ଥିଲା। ହେଲେ ଏହାକୁ ସ୍ଥଗିତ ରଖାଯାଇ ଜୁଲାଇ ୨୮ରେ ମ୍ୟାଚ୍‌ ହୋଇଥିଲା।

କଲମ୍ବୋରେ ଖେଳା ଯାଇଥିବା ସିରିଜ୍‌ର ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ୪ ୱିକେଟ୍‌ରେ ପରାସ୍ତ ହୋଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୧୩୨/୫ ସ୍କୋର କରିଥିଲା। ତେବେ ଶ୍ରୀଲଙ୍କା ୧୯.୪ ଓଭରରେ ୬ ୱିକେଟ୍‌ ହରାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଥିଲା। 

ନିକଟରେ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ୨୩ ଜଣ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଥିଲେ। ସେମାନଙ୍କ ମଧ୍ୟରୁ ଓ୍ୱିକେଟ କିପର୍‌-ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ କରୋନା ସଂକ୍ରମିତ ହୋଇଥିଲେ।