• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଟୋକିଓ ଅଲିମ୍ପିକ୍ସରେ ବଢିଛି ଭାରତର ପଦକ ଆଶା ।

  • ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ।

  • ଡେନମାର୍କର ମିଆ ବ୍ଲିଚଫେଲ୍ଟକୁ ସିଧାସଳଖ ୨୧-୧୫, ୨୧-୧୩ରେ ହରାଇଦେଇଛନ୍ତି ସିନ୍ଧୁ । 

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବଢିଛି ଭାରତର ପଦକ ଆଶା । ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ଡେନମାର୍କର ମିଆ ବ୍ଲିଚଫେଲ୍ଟକୁ ସିଧାସଳଖ ୨୧-୧୫, ୨୧-୧୩ରେ ହରାଇଦେଇଛନ୍ତି ସିନ୍ଧୁ । କ୍ୱାର୍ଟର ଫାଇନାଲରେ ସେ ବିଶ୍ୱର ୫ ନମ୍ବର ମାନ୍ୟତା ପ୍ରାପ୍ତ ଖେଳାଳି ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ । ରିଓ ଅଲିମ୍ପିକ୍ସରେ ସିନ୍ଧୁ ଭାରତ ପାଇଁ ରୌପ୍ୟ ପଦକ ପାଇଥିଲେ । ତେଣୁ ଟୋକିଓ ଅଲିମ୍ପିକ୍ସରେ ପୁଣିଥରେ ତାଙ୍କ ଠାରୁ ପଦକ ଆଶା କରାଯାଉଛି ।

ସେପଟେ ତୀରନ୍ଦାଜୀରେ ଫର୍ମରେ ଥିବା ଅତନୁ ଦାସ କୋରିଆର ଜିନ୍ ହେକଙ୍କୁ ପରାସ୍ତ କରିଛନ୍ତି । ପୂର୍ବତନ ଅଲିମ୍ପିକ୍ସ ଚାମ୍ପିୟନ ଜିନ୍‌ଙ୍କୁ ୬-୫ରେ ମାତ୍ ଦେଇ ପ୍ରି କ୍ୱାର୍ଟରରେ ପହଞ୍ଚିଛନ୍ତି ଅତନୁ ଦାସ । ସେପଟେ ବକ୍ସିଂ ସୁପର ହେଭି ବର୍ଗ କ୍ୱାର୍ଟରରେ ସତୀଶ କୁମାର ଜାମାଇକାର ରିକାର୍ଡୋ ବ୍ରାଉନକୁ ୪-୧ରେ ହରାଇ କ୍ୱାର୍ଟରକୁ ଯାଇଛନ୍ତି ଭାରତୀୟ ବକ୍ସର ସତୀଶ କୁମାର ।

ହକିରେ ବି ଦମଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ପୂର୍ବତନ ଅଲିମ୍ପିକ୍ସ ଚାମ୍ପିିୟନ ଆର୍ଜେଣ୍ଟିନାକୁ ୩-୧ ଗୋଲରେ ମାତ୍ ଦେବା ସହ କ୍ୱାଟର ଫାଇନାଲରେ ପହଞ୍ଚିଛି ଭାରତୀୟ ପୁରୁଷ ହକି ଟିମ୍ । ଭାରତ ପକ୍ଷରୁ ଅରୁଣ କୁମାର, ବିବେକ ସାଗର ପ୍ରସାଦ ଏବଂ ହରମନପ୍ରୀତ ତିନିଟି ଗୋଲ ଦେଇଥିଲେ ।

ଏହାରି ଭିତରେ ବକ୍ସିଂ ପ୍ରିକ୍ୱାର୍ଟରରେ ହାରିଯାଇଛନ୍ତି ପୂର୍ବତନ ବିଶ୍ୱ ଚାମ୍ପିଅନ୍ ମ୍ୟାରିକୋମ୍ । ସରି ଯାଇଛି ମ୍ୟାରିକମଙ୍କ ଯୁଗ । ଭାରତୀୟ ବକ୍ସିଂରେ ନୂଆ ଇତିହାସ ସୃଷ୍ଟି କରି ୬ଥର ବିଶ୍ୱ ବିଜେତା ହୋଇଥିବା ମ୍ୟାରିକମଙ୍କ ଅଲିମ୍ପିକ୍ସ ଅଭିଯାନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ବକ୍ସିଂର ଏହି ମହାନ ଖେଳାଳିଙ୍କୁ ଆଉ ଅଲିମ୍ପିକ୍ସରେ ଲଢ଼େଇ କରୁଥିବା ଦେଖିବାକୁ ମିଳିବନି । କାରଣ ଟୋକିଓ ଥିଲା ଏହି ୩୮ ବର୍ଷୀୟ ବକ୍ସରଙ୍କ ଶେଷ ଅଲିମ୍ପିକ୍ସ ।

ଏହି ଅଲିମ୍ପିକ୍ସରେ ତାଙ୍କ ଠାରୁ ସମସ୍ତେ ପଦକ ଆଶା କରିଥିଲେ । ହେଲେ ଦୁର୍ଭାଗ୍ୟଜନକ ଭାବେ ପ୍ରି କ୍ୱାର୍ଟର ଫାଇନାଲରେ ସେ ବିଶ୍ୱର ତୃତୀୟ ସିଡ୍‌ ଇଙ୍ଗରିତ ଭାଲେନସିଆଙ୍କ ଠାରୁ ହାରି ଯାଇଛନ୍ତି । ମ୍ୟାଚ୍‌ ହାରିବା ପରେ ସେ ରିଙ୍ଗ ଭିତରେ ଖେଳୁଆଡ଼ ମନୋଭାବ ଦେଖାଇ ଇଙ୍ଗରିତଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ ।