• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୪ ଅକ୍ଟୋବରରେ ଭାରତ ବିପକ୍ଷରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମଇଦାନକୁ ଓହ୍ଲାଇବା ପୂର୍ବରୁ ପାକିସ୍ତାନ କ୍ରିକେଟ୍‌ ଦଳକୁ ବଡ଼ ଝଟ୍‌କା । ପାକିସ୍ତାନର ହାଇ ପରଫରମାନ୍ସ ମୁଖ୍ୟ କୋଚ ଗ୍ରାଣ୍ଟ ବ୍ରେଡ୍‌ବର୍ଣ୍ଣ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ନ୍ୟଜିଲ୍ୟାଣ୍ଡର ପୂର୍ବତନ ଟେଷ୍ଟ କ୍ରିକେଟ୍‌ ଖେଳାଳି ବ୍ରେଡବର୍ଣ୍ଣ ଗତ ୩ ବର୍ଷ ହେବ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ସହ ଜଡ଼ିତ ଥିଲେ । ସେ ସେପ୍ଟେମ୍ବର ୨୦୧୮ରୁ ଜୁନ୍‌ ୨୦୨୦ ମଧ୍ୟରେ ପାକିସ୍ତାନର ଫିଲ୍ଡିଂ କୋଚ ଭାବେ ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ । ଏହାପରେ ସେ କୋଚିଂର ସମ୍ପୂର୍ଣ୍ଣ ବିକାଶ ଦାୟିତ୍ୱ ନେଇଥିଲେ ।

ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଦ୍ୱାରା ଜାରି କରାଯାଇଥିବା ଏକ ବୟାନ୍‌ରେ ବ୍ରେଡ୍‌ବର୍ଣ୍ଣ କହିଛନ୍ତି ଯେ, ପାକିସ୍ତାନ କ୍ରିକେଟ୍‌ ବୋର୍ଡ ସହ କାମ କରିବା ଅତ୍ୟନ୍ତ ଗର୍ବର ବିଷୟ ଥିଲା । ମୁଁ ଖୁବ୍ ସୁନ୍ଦର ସ୍ମୃତି ଓ ଅନୁଭବ ସହ ପାକିସ୍ତାନ କ୍ରିକେଟ୍‌ ବୋର୍ଡରୁ ବିଦାୟ ନେଉଛି । ମୁଁ ପିସିବିକୁଧନ୍ରବାଦ ଦେବାକୁ ଚାହିଁବି ସେ ମୋତେ ଅନେକ କିଛି ଶିଖିବାକୁ ସୁଯୋଗ ଦେଇଛି । ରମିଜ ରାଜା ପିସିବି ଚେୟାର ମ୍ୟାନ୍‌ ଦାୟିତ୍ୱ ନେବା ପରେ ପଞ୍ଚମ ବ୍ୟକ୍ତି ଭାବେ ବ୍ରେଡ୍‌ବର୍ଣ୍ଣ ନିଜ ଦାୟିତ୍ୱରୁ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ପାକିସ୍ତାନର ମୁଖ୍ୟ କୋଚ୍‌ ମିସ୍‌ବାହ ଉଲ୍‌ ହକ୍‌, ବୋଲିଂ କୋଚ୍‌ ବକାର ୟୁନୁସ୍‌, ସିଇଓ ୱସିମ୍‌ ଖାନ୍‌ ଓ ମାର୍କେଟିଂ ହେଡ୍‌ ବାବର ହମିଦ୍‌ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି ।

ବ୍ରେଡ୍‌ବର୍ଣ୍ଣ ୩ ବର୍ଷ ଧରି ଫିଲ୍ଡିଂ କୋଚ୍‌ ରହିଥିଲେ

୫୫ ବର୍ଷୀୟ ବ୍ରେଡ୍‌ବର୍ଣ୍ଣ କହିଛନ୍ତି ଯେ, କରୋନା କଟକଣା ଯୋଗୁଁ ସେ ନିଜ ପରିବାର ସହ ସମୟ ଅତିବାହିତ କରିପାରୁ ନଥିଲେ । ସେ କହିଛନ୍ତି ଯେ, ତାଙ୍କ ପତ୍ନୀ ମାରି ଓ ତିନି ସନ୍ତାନ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ସହ କାମ କରିବାକୁ ଅନୁମତି ଦେଇ ଅନେକ ତ୍ୟାଗ କରିଛନ୍ତି । କୋଭିଡ୍‌ କଟକଣା ମଧ୍ୟରେ ପାକିସ୍ତାନ ଗସ୍ତ କରିବା, ସେଠାକାର ଲୋକଙ୍କ ଭଲ ପାଇବା ଓ ସେମାନଙ୍କ ବନ୍ଧୁତ୍ୱକୁ ଅନୁଭବ କରିବା ଏକ ପ୍ରକାର ଚ୍ୟାଲେଞ୍ଜ ଥିଲା । ଏବେ ତାଙ୍କ ପରିବାର ପାଇଁ ସେ ସମୟ ଦେବା ସବୁଠାରୁ ଅଧିକ ପ୍ରାଥମିକତା ବୋଲି ବ୍ରେଡ୍‌ବର୍ଣ୍ଣ କହିଛନ୍ତି ।

ବ୍ରେଡ୍‌ବର୍ଣ୍ଣ ନ୍ୟୁଜିଲ୍ୟାଣ୍ଡ ପାଇଁ ୭ଟି ଟେଷ୍ଟ ଖେଳିଛନ୍ତି

ବ୍ରେଡ୍‌ବର୍ଣ୍ଣ ଅଫ୍‌ସ୍ପିନ୍‌ ବୋଲିଂ କରିଥାନ୍ତି । ସେ ୧୯୯୯ ରୁ ୨୦୦୧ ପର୍ଯ୍ୟନ୍ତ ନ୍ୟୁଜିଲ୍ୟାଣ୍ଡ ପାଇଁ ୭ଟି ଟେଷ୍ଟ ଓ ୧୧ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ଖାଲି ସେତିକି ନୁହେଁ ନ୍ୟୁଜିଲ୍ୟାଣ୍ଡ-ଏ ଟିମ୍‌ ଓ ଅଣ୍ଡର ୧୯ ଟିମ୍‌କୁ ମଧ୍ୟ ପ୍ରଶିକ୍ଷଣ ଦେଇଛନ୍ତି । ତାଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଦେଶରେ ସଞ୍ଚାଳିତ ହେଉଥିବା ସମସ୍ତ ହାଇ ପରଫରମାନ୍ସ ସେଣ୍ଟରରେ କାମ କରୁଥିବା ସପୋର୍ଟ ଷ୍ଟାଫ୍‌ଙ୍କ ଟ୍ରେନିଂ ସ୍ତର ଉଚ୍ଚ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା ।