• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଦୁଇ ବର୍ଷର ଲମ୍ବା ବ୍ୟବଧାନ ପରେ ପୁଣି ଥରେ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ି ହୋଇଛନ୍ତି । ସେ ଏଥର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବିରାଟ୍ ବାହିନୀର ମେଣ୍ଟର ଭାବେ କାମ କରିବେ । ଭାରତୀୟ କ୍ରିକେଟ୍ ବୋର୍ଡ ବା ବିସିସିଆଇ ଧୋନୀଙ୍କ ସହ ଟିମ୍‌ର କିଛି ଫଟୋ ସେୟାର କରିଛନ୍ତି । ‍ଖାଲି ସେତିକି ନୁହେଁ ବୋର୍ଡ ପକ୍ଷରୁ ଏମ୍‌ଏସ୍‌ ଧୋନୀଙ୍କୁ ସ୍ୱାଗତ କରି ଏକ ଟ୍ୱିଟ୍‌ କରାଯାଇଛି । ସେଥିରେ ମାହିଙ୍କୁ କିଙ୍ଗ ବୋଲି ସମ୍ବୋଧନ କରାଯାଇଛି । ଗତ ଏକ ବର୍ଷ ହେବ ଇଣ୍ଟରନ୍ୟାସନାଲ କ୍ରିକେଟ୍‌କୁ ବିଦାୟ ଦେଇଥିବା ଧୋନୀ ଅଧନାୟକ ଭାବେ ଭାରତୀୟ ଟିମ୍‌କୁ ଦୁଇ ଥର ବିଶ୍ୱକପ୍‌ ଦେଇଛନ୍ତି ।

ମହେନ୍ଦ୍ର ସିଂହ ଧୋନୀଙ୍କୁ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଜଣେ ସର୍ବଶ୍ରେଷ୍ଠ ଅଧିନାୟକ ଭାବେ ବିବେଚନା କରାଯାଏ । ବିସିସିଆଇ ଧୋନୀଙ୍କର ଏହି ଟ୍ୟାଲେଣ୍ଟର ଫାଇଦା ନେବା ପାଇଁ ତାଙ୍କୁ ପୁଣି ଥରେ ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ିବାକୁ ଚେଷ୍ଟା କରିଛି । ଦୁଇ ଦିନ ପୂର୍ବରୁ ହିଁ ଧୋନୀ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସଙ୍କୁ ଚାମ୍ପିଅନ୍‌ କରାଇଛନ୍ତି ।

ମହେନ୍ଦ୍ର ସିଂହ ଧୋନୀ ରବିବାର ଭାରତୀୟ କ୍ରିକେଟ୍‌ ଟିମ୍‌ର କୋଚ୍‌ ଓ ଖେଳାଳିଙ୍କ ସହ ମଇଦାନରେ ନଜର ଆସିଥିଲେ । ବିସିସିଆଇ ପକ୍ଷରୁ ଏହି ସମୟର ଫଟୋକୁ ଟ୍ୱିଟ୍‌ କରାଯାଇଛି । ଆଉ ସେଥିରେ ଲେଖାଯାଇଛି ଯେ, କିଙ୍ଗଙ୍କୁ ହୃଦୟର ସହ ସ୍ୱାଗତ କରାଯାଉଛି । ମହେନ୍ଦ୍ର ସିଂହ ଧୋନୀ ଟିମ୍‌ ଇଣ୍ଡିଆକୁ ଏକ ନୂଆ ଭୂମିକାରେ ପ୍ରବେଶ କରିଛନ୍ତି ।

ଭାରତୀୟ କ୍ରିକେଟ୍ ଟିମ୍‌ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷରେ ୨୪ ଅକ୍ଟୋବରରେ ମଇଦାନକୁ ଓହ୍ଲାଇ ନିଜର ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମ୍‌ ଦୁଇଟି ୱାର୍ମ ମ୍ୟାଚ୍‌ ମଧ୍ୟ ଖେଳିବ । ଗୋଟିଏ ଇଂଲଣ୍ଡ ବିରୋଧରେ ଓ ଅନ୍ୟଟି ଅଷ୍ଟ୍ରେଲିଆ ବିରୋଧରେ ।

ମହେନ୍ଦ୍ର ସିଂହ ଧୋନୀ ୧୫ ଅଗଷ୍ଟ ୨୦୨୦ରେ ଇଣ୍ଟରନ୍ୟାସନାଲ କ୍ରିକେଟ୍‌କୁ ଅଲବିଦା କହିଥିଲେ । କିନ୍ତୁ ଆଇପିଏଲ୍‌ରେ ସେ ଏବେ ବି ଖେଳୁଛନ୍ତି । ଭାରତୀୟ ଟିମ୍‌ ସହ ଶେଷ ଥର ପାଇଁ ସେ ୨୦୧୯ ଦିନିକିଆ ବିୱକପ୍‌ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦେଖାଯାଇଥିଲେ । ସେହିଥର ଭାରତ ବିଶ୍ୱକପ୍‌ରେ ସେମିଫାଇନାଲ ମ୍ୟାଚ୍‌ ହାରି ଯାଇଥିଲା । ସେହି ମ୍ୟାଚ୍‌ ଧୋନୀଙ୍କ ଶେଷ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ଥିଲା ।