• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆସନ୍ତାକାଲିଠୁ ଭାରତ-ଅଷ୍ଟ୍ରେଲିଆ ମହିଳା ଟେଷ୍ଟ କ୍ରିକେଟ ।

  • ପିଙ୍କ ବଲ୍‌ରେ ଖେଳାଯିବ ମ୍ୟାଚ୍‌ ।

  • ଗୋଲ୍ଡକୋଷ୍ଟର କାରାରାରେ ଖେଳାଯିବ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ ।

ଆସନ୍ତାକାଲିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ୍ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ପିଙ୍କ ଟେଷ୍ଟ । ଗୋଲ୍ଡକୋଷ୍ଟର କାରାରାରେ ଖେଳାଯିବ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ । ଭାରତୀୟ ସମୟ ଦିନ ୧୦ଟାରେ ଆରମ୍ଭ ହେବ ମ୍ୟାଚ । ଭାରତୀୟ ମହିଳା କ୍ରିକେଟ ଟିମ୍ ପ୍ରଥମ ଥର ଲାଗି ଦିବା ରାତ୍ର ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି ।

ପୁଣି ଦୀର୍ଘ ୧୫ ବର୍ଷ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି ଭାରତୀୟ ମହିଳା ଟିମ୍ । ୨୦୦୬ ମସିହାରେ ଭାରତ ଓ ଅଷ୍ଟ୍ରେଲିଆ ମହିଳା ଟିମ୍ ମଧ୍ୟରେ ଶେଷ ଥର ଲାଗି ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ଇନିଂସ ପରାଜୟର ସମ୍ମୁଖୀନ ହୋଇଥିଲା । ତେବେ ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ପିଙ୍କ ଟେଷ୍ଟରେ ମିତାଲି ରାଜଙ୍କ ନେତୃତ୍ୱାଧୀନ ଟିମ୍ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

ଦିନିକିଆ ସିରିଜର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଥିଲା ଭାରତ । ଆଉ ସର୍ଦନ ଷ୍ଟାର୍ସଙ୍କ ୨୬ ଓ୍ୱାନ୍‌ଡେ ବିଜୟର ଧାରାକୁ ରୋକିଥିଲା । ତେବେ କ୍ରିକେଟର ଲଙ୍ଗେଷ୍ଟ ଫର୍ମାଟ୍‌ରେ କଙ୍ଗାରୁ ଦଳ ଅଧିକ ଅଭିଜ୍ଞ । ପିଙ୍କ୍ ବଲ୍‌ରେ ମଧ୍ୟ ସେମାନେ ଅଭ୍ୟାସ କରିସାରିଛନ୍ତି । ଏହାସତ୍ତ୍ୱେ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଟକ୍କର ଦେବାକୁ ପ୍ରସ୍ତୁତ ମିତାଲି ଆଣ୍ଡ କୋ ।

ଇଂଲଣ୍ଡ ଗସ୍ତରେ ଖେଳିଥିବା ଏକମାତ୍ର ଟେଷ୍ଟରେ ଭାରତୀୟ ଦଳ ଦମ୍‌ଦାର ପ୍ରଦର୍ଶନ କରିଥିଲା । ଆଉ ମ୍ୟାଚକୁ ଡ୍ର କରିବାରେ ସକ୍ଷମ ହୋଇଥିଲା । ଏଣୁ ଏହି ମ୍ୟାଚରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶାବାଦୀ ମିତାଲି । ତେବେ ହରମନ୍‌ପ୍ରୀତ୍‌ ସିଂ ବାଦ୍ ପଡିବା ଭାରତ ପାଇଁ ବଡ ଧକ୍କା ସଦୃଶ ହୋଇଛି । ଆହତ କାରଣରୁ ଦିନିକିଆ ସିରିଜ୍ ଖେଳିପାରି ନ ଥିବା ଷ୍ଟାର୍ ପ୍ଲେୟାର ହରମନ୍‌ପ୍ରୀତ ଟେଷ୍ଟରୁ ମଧ୍ୟ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଅଭିଜ୍ଞ ପୁନମ ରାଉତ୍ ନଚେତ୍ ଦିନିକିଆ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିବା ୟାତ୍ସିକା ଭାଟିଆ ଚୂଡାନ୍ତ ଦଳରେ ସ୍ଥାନ ପାଇପାରନ୍ତି ବୋଲି କୁହାଯାଉଛି ।

ଦୁଇ ଦେଶ ମଧ୍ୟରେ ଏ ପର୍ଯ୍ୟନ୍ତ ୯ଟି ଟେଷ୍ଟ ମ୍ୟାଚ ଖେଳାଯାଇଥିବା ବେଳେ ଅଷ୍ଟ୍ରେଲିଆ ୪ଟିରେ ବିଜୟୀ ହୋଇଛି । ବାକି ୫ଟି ମ୍ୟାଚ ଡ୍ର ରହିଛି । ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏ ପର୍ଯ୍ୟନ୍ତ ବିଜୟର ସ୍ୱାଦ ଚାଖି ପାରିନି । ତେବେ ଏଥର ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା ଟିମ୍‌ର ବ୍ୟାଟିଂ କୋଚ୍ ଅଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଓଡ଼ିଶାର ଶିବସୁନ୍ଦର ଦାସ । ତେଣୁ ମହିଳା ଟିମ୍‌ଠାରୁ ଅଧିକ ଆଶା କରାଯାଉଛି ।