• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିରାଟ କୋହଲି ସବୁଠାରୁ ବଡ଼ ବ୍ୟାଟ୍ସମ୍ୟାନ୍‌ । ଟେଷ୍ଟ କ୍ରିକେଟ୍‌ଠାରୁ ଆରମ୍ଭ କରି ଦିନିକିଆ ଓ ଟି-ଟ୍ୱେଣ୍ଟିରେ ବି ବିରାଟଙ୍କ ଦବଦବା । ସେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏବେ ସୁଦ୍ଧା ୨୩ ହଜାର ରନ୍‌ ପୁରା କରିସାରିଲେଣି । ଏହାସହ ବିରାଟ୍‌ଙ୍କ ନାଁରେ ୭୦ଟି ଶତକ ମଧ୍ୟ ରହିଛି । ୧୩ ବର୍ଷର କ୍ୟାରିୟରରେ ସେ ଅନେକ ବଡ଼ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି । ବ୍ୟାଟିଂ କ୍ଷେତ୍ରରେ ସେ ମହାନ୍‌ ବ୍ୟାଟ୍ସମ୍ୟାନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କଠାରୁ ଆରମ୍ଭ କରି ସଚିନ ତେନ୍ଦୁଲକରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟକ୍କର ଦେଇଛନ୍ତି । କିନ୍ତୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏମିତି ଏକ ଟାର୍ଗେଟ୍‌ ଅଛି ଯେଉଁଠି ପହଞ୍ଚିବା ପାଇଁ ଦୀର୍ଘ ୧୧ ବର୍ଷ ହେବ ବିରାଟ୍ ଅପେକ୍ଷା କରି ରହିଛନ୍ତି । ଆଉ ତାହା ହେଉଛି ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ଶତକ ।

୨୦୧୦ରେ ଟି-ଟ୍ୱେଣ୍ଟିରେ କ୍ୟାରିୟର ଆରମ୍ଭ କରିଥିବା ବିରାଟ କୋହଲି ଏବେ ସୁଦ୍ଧା ୯୦ଟି ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ଖେଳି ସାରିଲେଣି । ସେ ଟି-ଟ୍ୱେଣ୍ଟିରେ ୩୧୫୯ ରନ୍‌ ହାସଲ କରି ସାରିଛନ୍ତି । ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ବିଶ୍ୱର କୌଣସି ଖେଳାଳି ଏତିକି ସ୍କୋର କରିବାରେ ଏବେ ଯାଏଁ ସକ୍ଷମ ହୋଇନାହାନ୍ତି । କିନ୍ତୁ ଦୁଃଖର ବିଷୟ ଯେ, ସେ ଏତେ ବଡ଼ ସ୍କୋର ପାଇଥିଲେ ବି ଏବେ ସୁଦ୍ଧା ଶତକ ହାସଲ କରିପାରି ନାହାନ୍ତି । ଏମିତିରେ ଫ୍ୟାନ୍ସମାନଙ୍କ ଆଶା ଯେ, ବିରାଟ୍‌ କୋହଲି ଏଥର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଶତକ ହାସଲ କରି ନିଜର ଅଧୁରା ସ୍ୱପ୍ନ ପୁରା କରିବେ ।

ସବୁଠୁ ଅଧିକ ଅର୍ଦ୍ଧଶତକ

ବିରାଟ କୋହଲି ଏବେ ସୁଦ୍ଧା ଗୋଟିଏ ବି ଶତକ ହାସଲ କରିନାହାନ୍ତି ସତ ହେଲେ ସବୁଠାରୁ ଅଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍‌ ହେଉଛନ୍ତି ସେ ନିଜେ । ଏହି ରେକର୍ଡ ଦୀର୍ଘ ସମୟ ଧରି କୋହଲିଙ୍କ ନାଁରେ ରହି ଆସିଛି । ସେ ଏବେ ସୁଦ୍ଧା ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ୨୮ଟି ଅର୍ଦ୍ଧଶତକ ହାସଲ କରି ସାରିଲେଣି । ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା । ସେ ଏବେ ସୁଦ୍ଧା ୨୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଯଦି ଆମେ ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲ ରେକର୍ଡ ଉପରେ ନଜର ପକାଇବା ତେବେ ବିରାଟ କୋହଲି ୩ ଥର ଶତକ ହାସଲ କରିବାକୁ ବଞ୍ଚିତ ହୋଇଛନ୍ତି । ସେ ଏହି ତିନି ଥର ଶତକ ପାଖରେ ପହଞ୍ଚି ନଟ୍‌ ଆଉଟ୍‌ ରହିଛନ୍ତି । ଜାନୁଆରୀ ୨୦୧୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏଡିଲେଡ୍‌ ମଇଦାନରେ ସେ ୯୦ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ । ସେହି ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୮୯ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ । ଏହାପରେ ଡିସେମ୍ବର ୨୦୧୯ରେ ପୁଣି ଥରେ ତାଙ୍କୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଶତକ ହାସଲ କରିବାର ସୁଯୋଗ ମିଳିଲା । କିନ୍ତୁ ୯୪ ରନ୍‌ରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । କାରଣ ଦଳକୁ ସେ ୮ଟି ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇ ସାରିଥିଲେ ।