• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଫୋନରେ କଥା ହୋଇ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

  • ପୂରା ହେଲା କିମ୍ବଦନ୍ତୀ ମିଲଖା ସିଂଙ୍କ ସ୍ୱପ୍ନ

  • କୋଚ, କର୍ମକର୍ତ୍ତା ଓ ସହଯୋଗୀଙ୍କୁ ସଫଳତାର ଶ୍ରେୟ ଦେଲେ ନୀରଜ

ରୁପାରୁ ଆରମ୍ଭ ସୁନାରେ ଶେଷ । ଟୋକିଓ ଅଲିମ୍ପିକ୍ସରେ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ମୋଟ୍ ୭ଟି ପଦକ ଜିତିଛି ଭାରତ । ଅଲିମ୍ପିକ୍ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ନେଇ ଖୁସିରେ ଝୁମୁଛି ଦେଶ । ଚଳିତ ଟୋକିଓ ଅଲିମ୍ପିକ୍ସରେ ପ୍ରଥମେ ମୀରାବାଇ ଚାନୁ ଭାରୋତ୍ତଳନରେ ରୌପ୍ୟ ପଦକ ସହ ଭାରତର ମେଡାଲ୍ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ଭାରତକୁ ଆସିଥିଲା ଲଗାତାର ୩ଟି କାଂସ୍ୟ ପଦକ । ବ୍ୟାଡ଼ମିଣ୍ଟନରେ ପି.ଭି. ସିନ୍ଧୁ, ବକ୍ସିଂରେ ଲଭଲିନା ଏବଂ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ଜିତିଥିଲେ । ଏହାପରେ ଭାରତକୁ ଦ୍ୱିତୀୟ ରୌପ୍ୟ ପଦକ ଭେଟି ଦେଇଥିଲେ ରେସଲରର୍ ରବି କୁମାର ଦହିୟା । ଏହାପରେ ବଜରଙ୍ଗ ପୁନିଆ କୁସ୍ତିରେ କାଂସ୍ୟ ପଦକ ଜିତିଥିବା ବେଳେ, ଜାଭଲିନ୍ ଥ୍ରୋରେ ଐତିହାସିକ ବିଜୟ ସହ ଦେଶକୁ ଟୋକିଓ ଅଲିମ୍ପିକ୍ସର ଏକମାତ୍ର ସ୍ୱର୍ଣ୍ଣପଦକ ଆଣିଛନ୍ତି ନୀରଜ ଚୋପ୍ରା ।

ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କଲେ ଆଲେଟ୍ ନୀରଜ ଚୋପ୍ରା । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଇତିହାସ ରଚିଛନ୍ତି । ବ୍ୟକ୍ତିଗତ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ଏବଂ ଆଥଲେଟରେ ପ୍ରଥମ ଭାରତୀୟ ହୋଇଛନ୍ତି । ନୀରଜ ଚୋପ୍ରାଙ୍କ ପୂର୍ବରୁ ସୁଟିଂରେ ୨୦୦୮ ଅଲିମ୍ପିକ୍ସରେ ସୁଟର ଅଭିନବ ବିନ୍ଦ୍ରା ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ନୀରଜ ନିଜର ପ୍ରଥମ ଥ୍ରୋରେ ୮୭. ୦୩ ମିଟର, ଦ୍ୱିତୀୟ ଥ୍ରୋରେ ୮୭. ୫୮ ଯଏବଂ ତୃତୀୟ ଥର ସେ ୭୬. ୭୯ ମିଟର ଜାଭଲିନ ଫିଙ୍ଗି ବିଜୟ ହାସଲ କରିଥିଲେ ।

ତେବେ ସବୁଠାରୁ ରୋମାଞ୍ଚକର ବିଷୟ ହେଉଛି ନୀରଜ ପ୍ରତି ଥ୍ରୋରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ସବା ଆଗରେ ରହିଥିଲେ ।ପ୍ରତି ଥର ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ନୀରଜ । ଭାରତୀୟ ସେନାର ରାଜପୁତନା ରାଇଫଲ୍ସରେ ସୁବେଦାର ଭାବେ କାର୍ଯ୍ୟ କରୁଥିବା ନୀରଜ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଅସୁମାରୀ ଗୌରବ ଆଣିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଥିପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେପଟେ ପୂରା ହେଲା କିମ୍ବଦନ୍ତୀ ମିଲଖା ସିଂଙ୍କ ସ୍ୱପ୍ନ । ଫ୍ଲାଇଂ ଶିଖଙ୍କୁ ଗୋଲ୍ଡ଼ ମେଡାଲ୍ ଉତ୍ସର୍ଗ କଲେ ସୁନା ପୁଅ ନୀରଜ ଚୋପ୍ରା । ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟ ପରେ, ପ୍ରଥମ ପ୍ରତିକ୍ରିୟାରେ ନୀରଜ କହିଛନ୍ତି ଯେ, ମୁଁ ଏହି ପଦକ ମିଲଖା ସିଂଙ୍କୁ ଉତ୍ସର୍ଗ କରୁଛି । ଆଶା କରୁଛି, ସେ ଯେଉଁଠି ବି ଥିବେ ମୋତେ ଦେଖୁଥିବେ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଭାରତର କୌଣସି ଯୁବକ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ୍ ଜିତୁ ବୋଲି ମିଲଖାଙ୍କ ଶେଷ ଇଚ୍ଛା ଥିଲା । ସେ ଏନେଇ ବହୁଥର ସାକ୍ଷାତକାରରେ କହିଛନ୍ତି ।

ସେପଟେ ସ୍ପ୍ରିଣ୍ଟ କୁଇନ୍ ପିଟି ଉଷା ମଧ୍ୟ ଟୁଇଟ୍ କରିଛନ୍ତି ଯେ, ୩୭ ବର୍ଷ ପରେ ମୋ ଅପୂରଣୀୟ ସ୍ୱପ୍ନ ସାକାର ହେଲା । ମିଲଖା ସିଂ ଓ ପିଟି ଉଷା ଆଥ୍ଲେଟିକ୍ସରେ ଅଲିମ୍ପିକ୍ସ ପଦକର ଅତି ନିକଟକୁ ଆସି ମଧ୍ୟ ଏହାକୁ ହାସଲ କରିବାରେ ସଫଳ ହୋଇନଥିଲେ ।