• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋରାପୁଟ: କୋଟିଆ ପ୍ରସଙ୍ଗ ନେଇ ରାଜ୍ୟ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଟାର୍ଗେଟ । କହିଲେ ରାଜସ୍ୱମନ୍ତ୍ରୀ ଜଣେ ଆଦିବାସୀ । ତଥାପିି କୋଟିଆରେ ବାସ କରୁଥିବା ଆଦିବାସୀଙ୍କ ଲାଗି ତାଙ୍କର ଆନ୍ତରିକତା ନାହିଁ । କୋଟିଆ ପ୍ରସଙ୍ଗ ନେଇ ସେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କେବେଳ ସେତିକି ନୁହେଁ  ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସମାଧାନ ଲାଗି ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଆତ୍ମ ବିଶ୍ୱାସ ନାହିଁ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ଅତିକମ୍‌ରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଏକାଠି ବସି ଆଲୋଚନା କରିଥିଲେ କୋଟିଆ ବିବାଦର ସମାଧାନ ହୋଇପାରିଥାନ୍ତା । ମୁଁ ଶୁଣୁଛି ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଏଠାକୁ ଆସୁଛନ୍ତି ଆଲୋଚନା କରିବାକୁ । ଏହାଠୁ ଦୁର୍ଭାଗ୍ୟର ବିଷୟ ଆଉ କ’ଣ ହୋଇପାରେ । କେବଳ କୋଟିଆ ନୁହେଁ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ ସୀମାକୁ ଲାଗି ରହିଥିବା ରାଜ୍ୟର ଗାଁ ଗୁଡ଼ିକରେ ବି ସମସ୍ୟା ରହିଛି । ରାଜ୍ୟ ସରକାର ଯଦି ଧ୍ୟାନ ଦିଅନ୍ତେ, ତା’ହେଲେ ଯେଉଁ ସବୁ ସମସ୍ୟା ଦେଖାଯାଉଛି, ତା’ର ସମାଧାନ ହୋଇପାରନ୍ତା ।

ସୂଚନାଯୋଗ୍ୟ,  ଆସନ୍ତା ମଙ୍ଗଳବାର ଦିନ ଅର୍ଥାତ୍‌ ଅକ୍ଟୋବର ୯ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଜଗନମୋହନ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ବିଶେଷ କରି ବଂଶଧାରା ନଦୀ ଉପରେ ନେରେଡ଼ି ବ୍ୟାରେଜ ନିର୍ମାଣ, ପୋଲାଭରମ ପ୍ରକଳ୍ପ ଓ କୋଟିଆ ସୀମା ବିବାଦ ନେଇ ୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ ବୋଲି ଜଣାପଡ଼ିଛି ।

ଏହି ୩ଟି ଯାକ ପ୍ରସଙ୍ଗ ଏବେ କୋର୍ଟରେ ବିଚାରାଧିନ ଥିବାବେଳେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭେଟଘାଟ ଅନେକ ମହତ୍ତ୍ୱ ରଖୁଛି । ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍ ଆନ୍ଧ୍ରପ୍ରଦେଶ ସପକ୍ଷରେ ରାୟ ଦେଇଥିବାରୁ ନେରେଡ଼ି ପ୍ରକଳ୍ପ ନିର୍ମାଣ ସହଜ ହୋଇଛି । ହେଲେ ଏହି ପ୍ରକଳ୍ପ ଦ୍ୱାରା ରାୟଗଡ଼ା ଓ ଗଜପତି ଜିଲ୍ଲାର ବହୁ ଜମି ଜଳମଗ୍ନ ହେବାର ଆଶଙ୍କା ରହିଛି । ଏତଦ୍‌ବ୍ୟତୀତ କୋଟିଆ  ବିବାଦକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଛକାପଞ୍ଝା ଲାଗିଥିବାରୁ ଏନେଇ ମଧ୍ୟ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି ।