• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବଜାରରେ ପ୍ରତିଷ୍ଠା କରାଯାଇଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପୂବର୍ତନ ମନ୍ତ୍ରୀ ବିଷ୍ଣୁ ଚରଣ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। ଗୋପବନ୍ଧୁଙ୍କ ପରି ଜଣେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିକଟରେ ଜଣେ ରାଜନୈତିକ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଅନୁଚିତ ଦର୍ଶାଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି। ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମାନସ ମହାପାତ୍ରଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚାର କର୍ମକର୍ତ୍ତା ଓ ସଦସ୍ୟମାନେ ଏହି ଘଟଣାର ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି। 

ସ୍ୱର୍ଗତଃ ବିଷ୍ଣୁ ଦାସଙ୍କ ପ୍ରତି ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ଯଥେଷ୍ଟ ସମ୍ମାନ ରହିଛି। ତେବେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପାଖରୁ ତାଙ୍କର ପ୍ରତିମୂର୍ତ୍ତି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ହୋଇଛି। ସେହିପରି ରଘୁନାଥପୁର ବ୍ଳକ୍ କଂଗ୍ରେସ ପକ୍ଷରୁ ମଧ୍ୟ ସେହି ସ୍ଥାନରୁ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ଧାରଣା ଦିଆଯିବା ସହ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।  

ଘଟଣାକୁ ନେଇ ଜଗତସିଂହପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ମାନସ ମହାପାତ୍ର କହିଛନ୍ତି, ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ଜଣେ ରାଜନୈତିକ ବ୍ୟକ୍ତିଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବା ଘଟଣାକୁ ଆମେ ସହଜରେ ଗ୍ରହଣ କରିପାରୁ ନାହୁଁ। ଏହାକୁ ଆମେ ବିରୋଧ କରୁଛୁ। ଯଦି ପ୍ରଶାସନ ତୁରନ୍ତ ଏହି ପ୍ରତିମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର ନକରେ, ତା’ହେଲେ ଆଗାମୀ ଦିନରେ ବିଜେପି ଯୁବମୋର୍ଚ୍ଚା ଏହାର ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇବ।’