• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୁଣି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ।

  • ଏନଏମ୍‌ପି ଘୋଷଣା ଯୁବକଙ୍କ ଭବିଷ୍ୟତ ଉପରେ ଆକ୍ରମଣ !

  • କିଛି କମ୍ପାନୀକୁ ଦେଶର ସମ୍ପତ୍ତି 'ଉପହାର' ।

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ପୁଣି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ଏହାସହ କେନ୍ଦ୍ରୀୟ ମନିଟାଇଜେସନ୍ ଯୋଜନା (ଏନଏମ୍‌ପି) ଘୋଷଣାକୁ ଯୁବକଙ୍କ ଭବିଷ୍ୟତ ଉପରେ ଆକ୍ରମଣ ବୋଲି କହିଛନ୍ତି । ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ୭୦ ବର୍ଷରେ ସଂଗଠିତ ଦେଶର ସମ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର କିଛି ଶିଳ୍ପପତି ବନ୍ଧୁଙ୍କୁ ବିକ୍ରି କରିଦେଇଛନ୍ତି । ଏଥିସହ ସେ କହିଛନ୍ତି ଯେ କିଛି କମ୍ପାନୀକୁ ଏହି 'ଉପହାର' ଦେବା ପରେ ସେମାନେ ମନମୁଖି କାର୍ଯ୍ୟ କରିବେ । ଯାହାଫଳରେ ଦେଶର ଯୁବକମାନେ ଚାକିରୀ ପାଇବେ ନାହିଁ ।

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍, କଂଗ୍ରେସର ବରିଷ୍ଠ ନେତା କେସି ଭେନୁଗୋପାଲ ଏବଂ ରଣଦୀପ ସୁରଜେୱାଲାଙ୍କ ସହ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଏଭଳି ଆରୋପ ଲଗାଇଛନ୍ତି । ପୂର୍ବତନ କଂଗ୍ରେସ ସଭାପତି କହିଛନ୍ତି, 'ନରେନ୍ଦ୍ର ମୋଦିଙ୍କର ଏବଂ ବିଜେପିର ନାରା ଥିଲା, ୭୦ ବର୍ଷରେ ଦେଶରେ କିଛି ହୋଇନାହିଁ । କିନ୍ତୁ ୭୦ ବର୍ଷରେ ସଂଗଠିତ ଦେଶର ସମ୍ପତ୍ତିକୁ ଗତକାଲି ବିତ୍ତମନ୍ତ୍ରୀ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ଅର୍ଥ ହେଉଛି ପ୍ରଧାନମନ୍ତ୍ରୀ ସବୁକିଛି ବିକ୍ରି କରିଛନ୍ତି ।

ଏନଏମପି ବିଷୟରେ ସବିଶେଷ ବିବରଣୀ ଦେଇ ରାହୁଲ କହିଛନ୍ତି, ‘ଏହି ସମ୍ପତ୍ତି ସଂଗଠିତ କରିବା ପାଇଁ ୭୦ ବର୍ଷ ସମୟ ଲାଗିଛି ଏବଂ ଏଥିରେ ଦେଶବାସୀଙ୍କର ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ଏବେ ସେଗୁଡ଼ିକୁ ତିନି-ଚାରିଜଣ ଶିଳ୍ପପତିଙ୍କୁ ଉପହାର ଦିଆଯାଉଛି । ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, 'ଆମେ ଘରୋଇକରଣକୁ ବିରୋଧ କରୁ ନାହୁଁ । ଆମ ସମୟରେ ଘରୋଇକରଣ ଯୁକ୍ତି ସଂଗତ ଥିଲା । ସେହି ସମୟରେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିର ଘରୋଇକରଣ କରାଯାଉନଥିଲା । ବରଂ ଯେଉଁ ଶିଳ୍ପଗୁଡିକରେ ଅଧିକ କ୍ଷତି ଘଟୁଥିଲା ତାକୁ ଘରୋଇକରଣ କରାଯାଉଥିଲା ।’

କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ, ଏହି ସବୁ ପଦକ୍ଷେପ ସ୍ୱତନ୍ତ୍ର ଭାବେ କିଛି କମ୍ପାନୀକୁ ମନମୁଖି କାର୍ଯ୍ୟ କରିବାକୁ ସାହାସ ଦେବା ଉଦେଶ୍ୟରେ ନିଅଯାଉଛି । ଯେତେବେଳେ ଏହି କମ୍ପାନୀଗୁଡ଼ିକର ମନମୁଖି ଆରମ୍ଭ ହେବ, ଠିକ୍‌ ସେତିକିବେଳେ ଦେଶର ଯୁବକମାନଙ୍କର ରୋଜଗାର ପାଇବା ହ୍ରାସ ପାଇବ । ନରେନ୍ଦ୍ର ମୋଦି ନିଜର ଦୁଇ-ତିନି ଶିଳ୍ପପତି ସାଙ୍ଗମାନଙ୍କ ସହିତ ମିଶି ଯୁବକଙ୍କ ଭବିଷ୍ୟତ ଉପରେ ଆକ୍ରମଣ କରୁଛନ୍ତି ।

ସୂଚନାଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ୬ ଲକ୍ଷ କୋଟି ଟଙ୍କାର ଜାତୀୟ ମନିଟାଇଜେସନ୍ ଯୋଜନା (ଏନଏମପି) ଘୋଷଣା କରିଛନ୍ତି । ଏହା ଅଧୀନରେ ଯାତ୍ରୀବାହୀ ଟ୍ରେନ୍, ରେଳ ଷ୍ଟେସନ, ବିମାନ ବନ୍ଦର, ସଡ଼କ ଏବଂ ଷ୍ଟାଡିୟମ ରହିଛି ।