• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ରାଜ୍ୟ ସରକାରଙ୍କୁ ଟାର୍ଗେଟ

  • ନିର୍ବାଚନ ଆୟୋଗକୁ ଅଭିଯୋଗ କରିବେ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର: ପ୍ରକାଶ ପାଇଲା ପଂଚାୟତ ନିର୍ବାଚନ ଲାଗି ଆସନ ସଂରକ୍ଷଣର ଚିଠା ତାଲିକା । ବ୍ଲକ୍ ଅଫିସରେ ଝୁଲୁଛି ଲିଷ୍ଟ କିନ୍ତୁ ତାଲିକାକୁ ନେଇ ଅନେକ ସ୍ଥାନରେ ଦେଖାଦେଇଛି ବିବାଦ । ଓ୍ୱାର୍ଡମେମ୍ବରରୁ ସରପଂଚ ଯାଏଁ ଓ ସମିତି ସଭ୍ୟରୁ ଜିଲ୍ଲା ପରିଷଦ ସଦସ୍ୟଙ୍କ ପର୍ଯ୍ୟନ୍ତ ଏହି ସଂରକ୍ଷଣର ଚିଠା ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଛି । ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଜିଲ୍ଲା ପରିଷଦ ସଦସ୍ୟ ଲାଗି ଉଦ୍ଦିଷ୍ଟ ସଂରକ୍ଷଣ ଉପରେ ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁର ଓ କଳାହାଣ୍ଡିରେ ଜିଲ୍ଲା ପରିଷଦ ସଦସ୍ୟ ବର୍ଗରେ ପଛୁଆ ବର୍ଗଙ୍କ ଲାଗି ଆଦୌ ସଂରକ୍ଷଣ ନାହିଁ । ବରଗଡ଼ ଓ ବଲାଙ୍ଗିର ଜିଲ୍ଲାରେ ୩ଟି ଲେଖାଏଁ, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରେ ୨ଟି ଲେଖାଏଁ ଏବଂ ବୌଦ୍ଧରେ ପଛୁଆ ବର୍ଗ ଲାଗି ଗୋଟିଏ ସିଟ୍ ରିଜର୍ଭ ରହିଛି ।

କଳାହାଣ୍ଡି ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୧୮ଟି ଆସନ ସଂରକ୍ଷଣ ଥିବା ବେଳେ ଅଣସଂରକ୍ଷିତ ବର୍ଗ ପାଇଁ ଅନ୍ୟ ୧୮ଟି ଆସନ ରହିଛି । ତେବେ ପଛୁଆ ବର୍ଗ ପାଇଁ ଗୋଟିଏ ବି ଆସନ ସଂରକ୍ଷିତ ନଥିବାରୁ ସେମାନଙ୍କୁ ଅବହେଳା କରାଯାଇଥିବାର ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲାର ଗୁଡେଶିରା ପଂଚାୟତରେ ଅନୁସୂଚିତ ଜାତିଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ, ସରପଞ୍ଚ ଆସନ ପାଇଁ ଅଣସଂରକ୍ଷିତ ମହିଳା ପାଇଁ ଉଦ୍ଦିଷ୍ଟ ରହିଛି । ଜିଲ୍ଲାରେ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଆସନ ସଂରକ୍ଷଣ ଠିକରେ କରାଯାଇ ନଥିବାର ଅଭିଯୋଗ ହୋଇଛି । କେବଳ ବରଗଡ଼ ଜିଲ୍ଲା ନୁହେଁ ବରଂ ରାଜ୍ୟରେ ଥିବା ୯୨ ହଜାର ଓ୍ୱାର୍ଡ , ୬ ହଜାର ୮୦୦ ପଂଚାୟତ ଓ ୮୫୩ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଅଧିକାଂଶ ଆସନରେ ଗଡବଡ ହୋଇଥିବା ଅଭିଯୋଗ ହୋଇଛି ।

ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇବା ପରେ ବିଜେପି ଓ କଂଗ୍ରେସ୍ ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନିର୍ଦ୍ଧାରିତ ତାରିଖ ଅର୍ଥାତ ଅକ୍ଟୋବର ୮ରେ ୧୦ଟି ଜିଲ୍ଲାରେ ସଂରକ୍ଷଣ ତାଲିକା ଜିଲ୍ଲାପାଳମାନେ ପ୍ରକାଶ କରନଥିବା ଅଭିଯୋଗ କରିଛି ବିଜେପି । ଏହାଦ୍ୱାରା ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲଂଘନ ହୋଇଥିବା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ସେହିପରି ଚିଠା ତାଲିକା ସଂପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି ଅଭିଯୋଗ କରିଛି କଂଗ୍ରେସ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗରେ ଅଭିଯୋଗ ଦାଖଲ କରାଯିବ ବୋଲି କଂଗ୍ରେସ ଦଳ ପକ୍ଷରୁ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ବିଜେଡି ନେତାଙ୍କ ପ୍ରଭାବରେ ଏଭଳି ତାଲିକା ପ୍ରକାଶ କରାଯାଇଥିବାର ଅଭିଯୋଗ ହୋଇଛି । ଏହା ତ୍ରୁଟିପୂର୍ଣ୍ଣ ଥିବାରୁ ବାତିଲ କରିବାକୁ ଦାବି କରାଯାଇଛି । ଯଦି କାହାର କିଛି ଅଭିଯୋଗ ରହିଥାଏ, ତେବେ ସେମାନେ ଅଭିଯୋଗ କରିପାରିବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

କମ୍ ସମୟ ମଧ୍ୟରେ ତରବରିଆ ଭାବେ ଆସନ ସଂରକ୍ଷଣ ନିଷ୍ପତ୍ତି ଯୋଗୁଁ ଏଭଳି ତ୍ରୁଟି ହେଲା ବୋଲି କୁହଯାଉଛି । ତେବେ ସଂରକ୍ଷଣକୁ ନେଇ ଆପତ୍ତି ଥିଲେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇପାରିବ । ଏହାର ଶୁଣାଣି ପରେ ହିଁ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ତା’ପରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ମିଳିଛି ।